ମୁମ୍ବାଇ ଓ ବେଙ୍ଗାଲୁରୁରୁ ଉଦ୍ଧାର ହେଲେ ଗଜପତିର ୯ ନାବାଳିକା-ନାବାଳକ

ଗଜପତି,ଏନ୍ଏନ୍ଏସ୍: ମୁମ୍ବାଇ ଏବଂ ବେଙ୍ଗାଲୁରୁରୁ ଉଦ୍ଧାର ହୋଇଥିବା ୩ ନାବାଳିକା ଏବଂ ୬ ନାବାଳକଙ୍କୁ ଉଦ୍ଧାର କରି ଗଜପତି ଆଣିଲା ଜିଲ୍ଲା ପ୍ରଶାସନ। କୌଣସି ସୂତ୍ରରୁ ଖବର ପାଇ ଗଜପତି ଜିଲ୍ଲା ପ୍ରଶାସନ ପ୍ରଥମେ ମୁମ୍ବାଇର ଅନେକ ଶିଶୁ ଯତ୍ନ ଅନୁଷ୍ଠାନ ଏବଂ ଶିଶୁ ମଙ୍ଗଳ ସମିତି ସହ ଯୋଗାଯୋଗ କରିବା ପରେ କିପରି ଶିଶୁମାନଙ୍କୁ ମୁମ୍ବାଇରୁ ଉଦ୍ଧାର କରି ଗଜପତି ଅଣାଯିବ ସେନେଇ ଯୋଜନା ପ୍ରସ୍ତୁତ କରିଥିଲେ।

ଏହି ତିନି ନାବାଳିକାଙ୍କୁ ଲୋକମାନ୍ୟ ତିଲକ ଟର୍ମିନାଲରୁ ରେଳବାଇ ଚାଇଲ୍ଡଲାଇନ୍ ଉଦ୍ଧାର କରିଥିଲା। ଏହି ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଏକ ୪ ଜଣିଆ ଟିମ୍ ମୁମ୍ବାଇ ଗସ୍ତ କରିଥିଲେ। ଏହାପରେ ମୁମ୍ବାଇ ପ୍ରଶାସନ ସହାୟତାରେ ଟିମ୍ ଶିଶୁମାନଙ୍କୁ ନେଇ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ପହଞ୍ଚିଛି। ଏହି ସମସ୍ତ ଶିଶୁ ମୋହନା ଅଞ୍ଚଳର ହୋଇଥିବା ବେଳେ ଏହି ବିଷୟକୁ ନେଇ ମୋହନା ଥାନାରେ ମାମଲା ରୁଜୁ ହୋଇଛି। କୋଭିଡ଼ ଗାଇଡ଼ଲାଇନକୁ ଅନୁସରଣ କରି ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତି ନିକଟରେ ଉପସ୍ଥାପନ କରାଯାଇଛି। ସେମାନଙ୍କ ପାଇଁ ଆବଶ୍ୟକ ଥଇଥାନ ବ୍ୟବସ୍ଥା ଗ୍ରହଣ କରାଯିବ। ସେହିପରି ଅନ୍ୟ ଏକ ମାମଲାରେ ବେଙ୍ଗାଲୁରୁକୁ କାମ କରିବା ପାଇଁ ୬ ଜଣ ନାବାଳକଙ୍କୁ ନିଆ ଯାଉଥିବାବେଳେ ବେଙ୍ଗାଲୁରୁ ଚାଇଲ୍ଡଲାଇନ୍ ଏମାନଙ୍କୁ ଉଦ୍ଧାର କରିଛି। ଏ ସମ୍ପର୍କିତ ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼ ଗାଇଡ଼ଲାଇନ୍ ଅନୁସରଣ କରି ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତିକୁ ଫେରାଇ ଅଣାଯାଇଛି। ସେମାନଙ୍କ ପାଇଁ ଆବଶ୍ୟକ ଥଇଥାନ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।