ଖପ୍ରାଖୋଲ ପୁଲିସ ଦ୍ଵାରା ୯ ଜଣ ଦାଦନ ଶ୍ରମିକ ଉଦ୍ଧାର, ଦାଦନ ସର୍ଦାର ଗିରଫ

ପାଟଣାଗଡ଼,ଏନ୍ଏନ୍ଏସ୍: ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଉଥିବା ସମୟରେ ଖପ୍ରାଖୋଲ ପୁଲିସ ଗମ୍ଭାରୀ ଛକ ନିକଟରେ ୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଲାଠୋର ଅଞ୍ଚଳର ଏକ ଦାଦନ ସର୍ଦ୍ଦାର ବେଲାର ତାଣ୍ଡିକୁ ଧରିବାରେ ପୁଲିସ ସଫଳ ହୋଇଛି। ଉଦ୍ଧାର ହୋଇଥିବା ଶ୍ରମିକ ମାନେ ଲରମ୍ଭା ଥାନା ଅନ୍ତର୍ଗତ ଦମକିପାଲି ଗାଁର ବୋଲି ପୁଲିସ ସୂଚନା ଦେଇଛନ୍ତି।

ଏଠାରେ ପ୍ରକାଶ ଯେ, ଏ ଅଞ୍ଚଳରୁ ପ୍ରତିବର୍ଷ ହଜାର ହଜାର ଶ୍ରମିକ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଉଥିବାବେଳେ ସେଠାରେ ନିର୍ଯାତନାର ଶିକାର ହୋଇଥାନ୍ତି। ଗତ କିଛି ଦିନ ତଳେ ଜିଲ୍ଲା ପୁଲିସ ବିଭାଗ ତରଫରୁ ଖପ୍ରାଖୋଲ ଥାନାରେ ଦାଦନ ଶ୍ରମିକଙ୍କ ପାଇଁ ମିଶନ ଉଦ୍ଧାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଏସ୍‌ପି ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାମ ଉପରେ ଗୁରୁତ୍ୱ ଦେଇ ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟକୁ ଦାଦନ ଖଟି ନଯିବାକୁ ପରାମର୍ଶ ଦେଇ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ କହିଥିଲେ।

ଦାଦନ ସର୍ଦାର ମାନେ ସିଧାସଳଖ ପୁଲିସକୁ ଚାଲେଞ୍ଜ କରି ଖୁଲୁମ ଖୁଲା ଭାବେ ପଞ୍ଜିକରଣ ନକରି ମଣିଷ ଚାଲାଣ କରୁଥିବା ଜଣାପଡିଛି। ଆଜି ବିଶେଷ ସୂତ୍ରରୁ ଖବରପାଇ ଖପ୍ରାଖୋଲ ପୁଲିସ ଗମ୍ଭାରି ଛକରୁ ୯ ଜଣ ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରି ବେଆଇନ ଭାବେ ନେଉଥିବା ଲାଠୋରର ସର୍ଦ୍ଦାର ବେଲାର୍ ତାଣ୍ଡିକୁ ଗିରଫ କରି ତା ବିରୋଧରେ ଖପ୍ରାଖୋଲ ଥାନାରେ କେସ୍ ନମ୍ବର ୧୬୬/୨୨ରେ ଏକ ମାମଲା ରୁଜୁ କରି ସର୍ଦ୍ଦାରକୁ ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।