ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ପୁଣି ଜଣେ ଆତଙ୍କବାଦୀ ନିହତ ହୋଇଛି। ସୁରକ୍ଷା ବାହିନୀର ଯବାନଙ୍କ ହାତରେ ପୁଲୱାମା ଜିଲ୍ଲା ଚାଟପୋରା ଅଞ୍ଚଳରେ ରବିବାର-ସୋମବାର ମଧ୍ୟରାତ୍ରୀରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ତେବେ ଏହି ଅଞ୍ଚଳରେ ଆହୁରି ଆତଙ୍କବାଦୀ ଥିବା ସନ୍ଦେହରେ ଯବାନମାନେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।
କୁପୱାଡା ଓ କୁଲଗାମରେ ରବିବାର ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ପୁଲିସ କହିବା ଅନୁସାରେ କୁପୱାଡାରେ ନିହତ ଆତଙ୍କବାଦୀ ହେଉଛି ଜଣେ ପାକିସ୍ତାନୀ ନାଗରିକ। ସେ ଆତଙ୍କବାଦୀ ସଂଗଠନ ‘ଲଶ୍କର-ଏ-ତଇବାର’ର ସଦସ୍ୟ ଥିଲା। ଗିରଫ ଆତଙ୍କବାଦୀ ଶୌକତ ଅହମଦ ଶେଖଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ସୁରକ୍ଷାବାହିନୀର ଯବାନମାନେ କୁପୱାଡାର ଲୋଲାବ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରିଥିଲେ। ଏହି ସମୟରେ ଏନକାଉଣ୍ଟର ହୋଇଥିଲା।
କଶ୍ମୀର ପୁଲିସ କହିଛି ଯେ, ତଲାସି ଅଭିଯାନ ସମୟରେ ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାବାହିନୀଙ୍କୁ ଲକ୍ଷ୍ୟ କରି ଗୁଳି କରିଥିଲେ। କିନ୍ତୁ ଜବାବରେ ସେମାନେ ନିହତ ହୋଇଥିଲେ ବୋଲି କଶ୍ମୀର ପୁଲିସ ମହାନିରୀକ୍ଷକ ବିଜୟ କୁମାର କହିଛନ୍ତି।