ଜୟପୁର,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା କୋଟପାଡରେ ଗତକାଲି (ରବିବାର) ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଗୋଟିଏ ପିକ୍ଅକ୍ ଭ୍ୟାନ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯିବା ପରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଗୁରୁତର ଆହତ ହୋଇଥିଲେ। ତେବେ ଏହି ଦୁର୍ଘଟଣାରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୨କୁ ବଢ଼ିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ମଧ୍ୟ ସମ୍ଭାବନା ରହିଛି।
ଏହି ଘଟଣା ପରେ କୋଟପାଡ ବିଧାୟିକା ପଦ୍ମିନୀ ଦିଆନ୍ କୋଟପାଡ ହସ୍ପିଟାଲରେ ପହଞ୍ଚି ମୃତକଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ତେବେ ଗତ କାଲି ଏହି ପିକ୍ଅକ୍ ଭ୍ୟାନଟି ଛତିଶଗଡର ଏକ ସୀମାନ୍ତ ଗାଁରୁ କୋଟପାଡର ସିନ୍ଧିଆ ଗ୍ରାମକୁ ଆସୁଥିଲା। ସୂଚନା ଅନୁସାରେ ଏକ ଦଶାୟ କର୍ମରେ ଯୋଗ ଦେବା ପାଇଁ ଏହି ପିକ୍ଅପ୍ ଭ୍ୟାନରେ ପ୍ରାୟ ୨୩ ଜଣ ଲୋକ ଆସୁଥିଲେ। ପିକ୍ଅପ୍ ଭ୍ୟାନ୍ ଓଲଟିବାରୁ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ୧୩ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କୋଟପାଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବାକି ୧୧ ଜଣଙ୍କୁ ଜଗଦଲପୁର ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ଆଉ ୨ ଜଣଙ୍କ ମୃତ୍ୟୁ ଘଟି ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ମୃତାହତମାନେ ସମସ୍ତେ ଛତିଶଗଡ଼ କଲ୍ଚା ଗାଁର ବାସିନ୍ଦା।
ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି।