ଝାରସୁଗୁଡ଼ାରୁ ପୁଣି ୮୦ କରୋନା ପଜିଟିଭ ଚିହ୍ନଟ : ୪୮ ଘଣ୍ଟା ପାଇଁ ରକ୍ତ ଭଣ୍ଡାର ସିଲ୍

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଝାରସୁଗୁଡ଼ା ମଙ୍ଗଳବଜାରସ୍ଥିତ ଜିଲ୍ଲା ରକ୍ତ ଭଣ୍ଡାରରେ କାର୍ଯ୍ୟରତ ୩ଜଣ କର୍ମଚାରୀ ରହିଛନ୍ତି। ରକ୍ତଭଣ୍ଡାର କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ପ୍ରଶାସନ ପକ୍ଷରୁ ରକ୍ତ ଭଣ୍ଡାରକୁ ୪୮ ଘଣ୍ଟା ପାଇଁ ସିଲ କରାଯାଇଛି। ଏହାକୁ ସାନିଟାଇଜ କରିବା ସହ ସମସ୍ତ କର୍ମଚାରୀଙ୍କ ସ୍ୱାବ ପରୀକ୍ଷଣ ପରେ ପୁଣି କାର୍ଯ୍ୟକ୍ଷମ କରାଯିବ ବୋଲି ଜଣାପଡ଼ିଛି। ତେବେ ଅତି ଜରୁରୀକାଳୀନ ପରିସ୍ଥିତିରେ ରକ୍ତଭଣ୍ଡାରକୁ ଖୋଲାଯାଇ ରୋଗୀଙ୍କୁ ରକ୍ତ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଗଦିଶ ଚନ୍ଦ୍ର ବାରିକ କହିଛନ୍ତି।

ଆଜି ଚିହ୍ନଟ ହୋଇଥିବା ୮୦ ଜଣଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୨୮ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୨୨ ଜଣ, ବ୍ରଜରାଜନଗର ପୌରପରଷଦ ଅଞ୍ଚଳରୁ ୧୨ଜଣ, କିର୍ମିରାରୁ ୬ଜଣ, କୋଲାବିରା ବ୍ଲକ ଅଞ୍ଚଳରୁ ୪ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳ ଓ ଝାରସୁଗୁଡ଼ା ବ୍ଲକରୁ ୩ଜଣ ଲେଖାଏଁ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଗୃହ ସଙ୍ଗରୋଧରେ ଥିବାବେଳେ ଅନ୍ୟ ୨ଜଣ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୮୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୨୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୮୮୮ଜଣଙ୍କ ଚିକିତ୍ସା ଜାରି ରହିଛି।