୨୧୦୦ ମସିହା ସୁଦ୍ଧା ୮୦% ହିମଖଣ୍ଡ ତରଳିଯିବ: ଗ୍ଲୋବାଲ କ୍ଲାଇମେଟ୍ ସର୍ଭେ

ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ପ୍ରବଳ ବର୍ଷାରେ ଗଂଗା ଓ ବ୍ରହ୍ମପୁତ୍ର ନଦୀଗର୍ଭ ଫୁଲିଯିବା ସହ ବାରମ୍ବାର ବନ୍ୟା ସୃଷ୍ଟି କରିବ ବୋଲି ଜଳବାୟୁ ପରିବର୍ତ୍ତନ ଆନ୍ତର୍ଜାତୀକ ପ୍ୟାନେଲ (ଆଇପିସିସି) ପ୍ରକାଶ କରିଛି। ପ୍ରତି ଶତାବ୍ଦୀ ଶେଷ ସୁଦ୍ଧା ତାପମାତ୍ରା ୩.୫ଂ ରୁ ୬ଂ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଉଥିବା ନେଇ ଆଇପିସିସିର ଜଳବାୟୁ ପରିବର୍ତ୍ତନ ଉପରେ ଆଧାରିତ ସ୍ପେଶାଲ ରିପୋର୍ଟରେ ବୁଧବାର ପ୍ରକାଶ ପାଇଛି।

୩୬ଦେଶକୁ ନେଇ ପାଖାପାଖି ୭ହଜାର ବିଜ୍ଞାନଭିତ୍ତିକ ତଥ୍ୟ ଓ ୧୦୪ ଲେଖକ ଓ ସମ୍ପାଦକଙ୍କ ଦ୍ୱାରା ବିଶେଷ୍ଲଣ କରାଯାଇ ଆଇପିସିସିର ଏହି ରିପୋର୍ଟରେ ପ୍ରକାଶିତ ହୋଇଛି। ଏହି ରିପୋର୍ଟ ଅନୁସାରେ ହିନ୍ଦୁ କୁଶ ପର୍ବତମାଳା କ୍ଷେତ୍ରରେ ବସବାସ କରୁଥିବା ୧.୯ ନିୟୁତ ଜନସଂଖ୍ୟା ପ୍ରଭାବିତ ହେବେ।

ବିଶେଷ କରି ତୀବତିଆନ୍ କ୍ଷେତ୍ରରେ ପ୍ରବାହିତ ହେଉଥିବା ୧୦ଟି ପ୍ରମୁଖ ନଦୀକୂଳ ତାଇନି ସା, କୁଣ୍ଡଲୁନ୍, ପାମିର, କାରାକୁଲମ୍, ହିମାଳୟ ଓ ହେଙ୍ଗଡୁଆନ୍ ଅଧିକ ପ୍ରଭାବିତ ହେବେ। ମାତ୍ରାଧିକ ବର୍ଷା ହେବାଯୋଗୁଁ ଗଙ୍ଗା, ଇନ୍ଦୁ ଓ ବ୍ରହ୍ମପୁତ୍ର ନଦୀରେ ବନ୍ୟା ଆସି ଭୟଙ୍କର କ୍ଷତି ଘଟାଇବ। ଏହାସହ ୨୧୦୦ ମସିହା ସୁଦ୍ଧା ବିଶ୍ୱ ତାପମାନ ୩.୫ଂରୁ ୬ଂ ସେଲସିୟସ ତାପମାତ୍ରା ବଢ଼ିଯିବ। ଯାହା ଫଳରେ ପୃଥିବୀପୃଷ୍ଠରେ ଥିବା ହିମଖଣ୍ଡ ୩୬ରୁ ୬୪ ଶତାଂଶ ତରଳିଯିବ।

ଏହାଛଡା ୮୦ ଶତାଂଶ ହିମଖଣ୍ଡ ଆଉ ଦୃଶ୍ୟମାନ ହେବନାହିଁ। ସମୁଦ୍ର ସ୍ତର ପୂର୍ବାପେକ୍ଷା ମନୁଷ୍ୟକୃତ କାରଣ ଯୋଗୁଁ ୧୬ ସେଣ୍ଟିମିଟର ବଢ଼ିଯାଇ ବିଶ୍ୱ ପ୍ରତି ବଡ ବିପଦ ସୃଷ୍ଟି କରିଛି। ଏହା ଏହି ଶତାବ୍ଦୀ ଶେଷ ସୁଦ୍ଧା ଆହୁରି ୧୦ଗୁଣ ବେଗରେ ବୃଦ୍ଧି ପାଇବ। ଏହାଦ୍ୱାରା କୃଷି, ଜଳବିଦ୍ୟୁତ ଶକ୍ତି, ଓ ବ୍ୟବହାରଯୋଗ୍ୟ ଜଳର ଘୋର ଅଭାବ ପଡିବ।

କେବଳ ସେତିକି ନୁହେଁ, ଅନେକ ସାମୁଦ୍ରିକ ଜୀବ ଲୋପ ପାଇଯିବେ। ମତ୍ସ୍ୟ ଉତ୍ପାଦନ ଉପରେ ଏହାର କୁପ୍ରଭାବ ପଡିବ। ଯଦି ଏବେଠାରୁ ମାନବ ସମାଜ ଏସବୁର ପ୍ରତିକାର ଚିନ୍ତା ନକରନ୍ତି ତେବେ ଆଗକୁ ଆମ ଉତ୍ତରପିଢ଼ି ଘୋର ସମସ୍ୟାର ସମ୍ମୁଖୀନ ହେବେ।