ଓଡ଼ିଶା ଟିକସ ହିସାବ ସେବା ନିୟମ ୨୦୧୧ର ସଂଶୋଧନ ପାଇଁ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ଟିକସ ହିସାବ ସେବା ନିୟମ ୨୦୧୧ର ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ କହିଥିଲେ ଯେ, ରାଜ୍ୟ ଇତି ମଧ୍ୟରେ ଦ୍ରବ୍ୟ ଓ ସେବା ଟିକସ ପ୍ରଚଳନ କରାଯାଇଥିବାରୁ ରାଜ୍ୟର ଆର୍ଥିକ ସମ୍ବଳ ଏବଂ ରାଜସ୍ୱ କ୍ଷେତ୍ର ଅଧିକ ଗୁରୁତ୍ୱ ବହନ କରୁଛି ।

ଆର୍ଥିକ ସୁପରିଚାଳନା ନିମନ୍ତେ ଏହି ନିୟମର ଧାରା ୪, ଉପଧାରା-ଗ ଅନୁଯାୟୀ ମଂଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୭୫୩ର ୨୦ ପ୍ରତିଶତ ପଦବୀରେ ହେଉଥିବା ନିଯୁକ୍ତିକୁ ରବ୍ଦ କରାଯାଇଛିା ତତ୍ ସଂଗେ ସଂଗେ ଆର୍ଥିକ ପରିଚାଳନା କ୍ଷେତ୍ରରେ ସାମର୍ଥ୍ୟ ଥିବା ଓଡ଼ିଶା ଅଧସ୍ଥନ ଆର୍ଥିକ ସେବା ବର୍ଗର କର୍ମଚାରୀ ମାନଙ୍କ ଦ୍ୱାରା ଧାରା-୪ର ଉପଧାରା-ଖ ଅନୁଯାୟୀ ପଦୋନ୍ନତି ମାଧ୍ୟମରେ ପୂରଣ ହେଉଥିବା ମଂଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୭୫୩ର ୩୦ ପ୍ରତିଶତ ପଦବୀ ଗୁଡ଼କୁ ବୃଦ୍ଧି କରାଯାଇ ମଂଜୁରୀ ପ୍ରାପ୍ତ ପଦବୀର ୫୦ ପ୍ରତିଶତରେ ସୀମିତ ରଖାଯାଇଛି ।

ପଦୋନ୍ନତି ନିମନ୍ତେ ଆବଶ୍ୟକ ପ୍ରାର୍ଥୀ ଉପଲବ୍ଧ ନଥିଲେ ଉକ୍ତ ପଦବୀ ଗୁଡ଼ିକୁ ସିଧା ସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରାଯିବ । ସମ୍ପୃକ୍ତ ନିୟମ ଧାରା-୧୭ ଓ ୧୮ ଅନୁଯାୟୀ ଉକ୍ତ ସେବାରେ ସ୍ଥାୟୀ ହେବା ନିମନ୍ତେ ଅଧିକାରୀ ମାନଙ୍କୁ ବିଭାଗୀୟ ପରୀକ୍ଷା ଓ ମଧୂସୂଦନ ଦାସ ପ୍ରାଦେଶିକ ଆର୍ଥିକ ପରିଚାଳନା ପ୍ରତିଷ୍ଠାନର ତାଲିମ ପରୀକ୍ଷାରେ ଉତୀର୍ଣ୍ଣ ହେବା ଆବଶ୍ୟକତା ଥିଲା ।

ଯେହେତୁ ଏ ପରୀକ୍ଷା ଦ୍ୱୟ ପ୍ରାୟତଃ ସମାନ ଥିବାରୁ ୧୭ରେ ଥିବା ବିଭାଗୀୟ ପରୀକ୍ଷାକୁ ବାଦ୍ ଦିଆଗଲା । ପରିବୀକ୍ଷଣ ଓ ସ୍ଥାୟୀକରଣ ନିମନ୍ତେ ଧାରା-୧୬ରେ ଥିବା ସର୍ତକୁ ସଂଶୋଧନ କରାଗଲା । ସିଧା ସଳଖ ନିଯୁକ୍ତି ମାଧ୍ୟମରେ ନିଯୁକ୍ତି ପାଉଥିବା ଅଧିକାରୀ ବୃନ୍ଦ ଉକ୍ତ ସେବାରେ ଯୋଗଦେବାଠାରୁ କର୍ତବ୍ୟରତ ଭାବେ ୨ ବର୍ଷ ପର୍ୟ୍ୟନ୍ତ ପରିବୀକ୍ଷଣରେ ରହିବେ ଓ ପଦୋନ୍ନତି ମାଧ୍ୟମରେ ନିଯୁକ୍ତି ପାଉଥିବା ଅଧିକାରୀ ବୃନ୍ଦ ଉକ୍ତ ସେବାରେ ଯୋଗଦେବାଠାରୁ ୧ ବର୍ଷ ପର୍ୟ୍ୟନ୍ତ ପରିବୀକ୍ଷଣରେ ରହିବେ ।

ଶିକ୍ଷା ନବିଶ ଅଧିକାରୀ ବୃନ୍ଦ ପରିବୀକ୍ଷଣ ସମୟ ସମାପ୍ତି ପରେ ଓ ନିର୍ଦ୍ଦିଷ୍ଟ ତାଲିମ ପରୀକ୍ଷାରେ ଉତୀର୍ଣ ହେବା ପରେ ଯଦି ସ୍ଥାୟୀ ପଦବୀ ଉପଲବ୍ଧ ଥାଏ ତେବେ ଉକ୍ତ ସେବାରେ ସ୍ଥାୟୀ ନିଯୁକ୍ତି ପ୍ରାପ୍ତ ହେବେ । ରାଜ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତିକରଣର ବ୍ୟାପକ ପ୍ରସାର ଆର୍ଥିକ ସ୍ୱାକ୍ଷରତା ବୃଦ୍ଧି ପାଇଁ କାର୍ୟ୍ୟାନୁଷ୍ଠାନ, ନଗଦ ଅର୍ଥ ବିହୀନ କାରବାରକୁ ପ୍ରୋତ୍ସାହନ ଓ ହିତାଧିକାରୀଙ୍କ ଜମାଖାତାକୁ ସେମାନଙ୍କର ପ୍ରାପ୍ୟ ଅର୍ଥ ସିଧା ସଳଖ ପ୍ରେରଣ ଉପରେ ବିଶେଷ ପ୍ରାଧାନ୍ୟ ଦେବା ପାଇଁ ସ୍ଥିର କରାଯାଇଛି । ଏଥିପାଇଁ ଉପରୋକ୍ତ କାର୍ୟ୍ୟ ସମ୍ପାଦନର ଦାୟିତ୍ୱ ସ୍ୱଳ୍ପ ସଂଚୟ ବିଭାଗରେ କାର୍ୟ୍ୟରତ ଅଧିକାରୀ ମାନଙ୍କୁ ଅତିରିକ୍ତ କାର୍ୟ୍ୟଭାର ଭାବେ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି ।