ଟାୱାର କାଟି ଲୁହା ଚୋରୀ ଅଭିଯୋଗରେ ୮ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଏନଟିପିସିର ଟାୱାର କାଟି ଚୋରି କରିନେଇଥିବା ୮ ଜଣ ଅଭିଯୁକ୍ତଙ୍କୁ ବ୍ରଜରାଜନଗର ପୁଲିସ ଗିରଫ କରିଛି। ଗିରଫ ହେଇଥିବା ଅଭିଯୁକ୍ତମାନେ ନିକ୍ତିମାଲ ଗ୍ରାମର ମୁଢ଼ ଭୋଇ(୩୫), ରିଙ୍କୁ ପ୍ରଧାନ (୨୬), କିରନ ପ୍ରଧାନ(୨୧), ଭୂଷଣ ଭୋଇ(୨୦), ମୋତିଲାଲ ଷଣ୍ଡ(୨୮), ରାଜେଶ ପଟେଲ (୨୩), ତିଲେଇମାଲ ଗ୍ରାମର ଜନ ଖଡ଼ିଆ (୩୦) ଓ ଏମାନଙ୍କ ଠାରୁ ଚୋରି ଲୁହା ସାମଗ୍ରୀ କିଣିଥିବା ସୁନ୍ଦରଗଡ଼ ଜିଲ୍ଲା ସାହାଜବାହାଲ ଗ୍ରାମର ଲେଲିନ କୁମାର ପଟେଲ (୩୫) ବୋଲି ପୁଲିସ ସୂଚନା ଦେଇଛି।

ସୂଚନାନୁଯାୟୀ, ଲଖନପୁର ବ୍ଲକ ଛଡ଼ାରମା ଗ୍ରାମ ନିକଟସ୍ଥ ହୀରାକୁଦ ଜଳ ଭଣ୍ଡାରରୁ ସୁନ୍ଦରଗଡ଼ ଜିଲ୍ଲା ଦର୍ଲ୍ଲିପାଲିକୁ ୪୦ କିମିରୁ ଉର୍ଦ୍ଧ୍ୱ ପାଇପଲାଇନ ବିଛାଯାଇଛି। ଏନଟିପିସି ପାଇପଲାଇନ କରି ଡୋର ପାଇଁ ୧୩୨ କେଭି ବିଦ୍ୟୁତ ଦର୍ଲିପାଲିରୁ ଛଡ଼ାରମାକୁ ଟାୱାର ନିର୍ମାଣ କରାଯାଇଥିବାବେଳେ ଚିଚିଣ୍ଡା-ଚନ୍ଦିନିମାଲ ମଧ୍ୟରେ ଥିବା ଜଙ୍ଗଲରୁ ୨୦୧୯ ଡିସେମ୍ବର ୧୪ ବିଳମ୍ବିତ ରାତିରେ ଚୋରମାନେ ୪ଟି ଟାୱାର ଓ ଗତ ୨୦୨୦ ମେ’ ୨୯ରେ ଆଉ ୨ଟି ବିରାଟକାୟ ଟାୱାରକୁ କାଟି ଚୋରି କରିନେଇଥିଲେ। ଏହି ଟାୱାରରେ ବିଦ୍ୟୁତ ସଂଯୋଗ କରାଯାଇନଥିବାରୁ ଏହାର ସୁଯୋଗ ନେଇ ଚୋରମାନେ ବିଦ୍ୟୁତ କେବୁଲ ମଧ୍ୟ ଚୋରି କରିନେଇଥିଲେ। ଏହାକୁ ନେଇ ଟାୱାର ନିର୍ମାଣକାରୀ ସଂସ୍ଥା ଜିଇ ଟେଣ୍ଡ ଡି ଇଣ୍ଡିଆ ଲିମିଟେଡର ସିନିୟର ପ୍ରୋଜେକ୍ଟ ମ୍ୟାନେଜର ଜିତେନ କୁମାର ଦଳାଇ ଗାନ୍ଧିଛକ ଫାଣ୍ଡିରେ ଲିଖିତ ଭାବରେ ଅଭିଯୋଗ କରିଥିଲେ। ପରେ ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ କରାଯାଇ ୭ଜଣ ଚୋର ଓ ଚୋରୀ ଲୁହା କିଣିଥିବା ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ଏହାସହ ଅଭିଯୁକ୍ତଙ୍କଠାରୁ ବହୁ ସଂଖ୍ୟାରେ ଟାୱାର ଲୁହା ଓ ଏକ ଟାଟା ଏସି ଗାଡ଼ିକୁ ପୁଲିସ ଜବତ କରିଥିବା ଗାନ୍ଧିଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ଼ ସୂଚନା ଦେଇଛନ୍ତି।