ପୁଣି ଜମ୍ମୁରେ ଉଡିଲା ଡ୍ରୋନ

ଶ୍ରୀନଗର,ଏଜେନ୍ସି: ଜମ୍ମୁରେ ପୁଣି ଉଡିଲା ଡ୍ରୋନ। ଆଜି(ବୁଧବାର) କାଲୁଚକ ଏବଂ କୁଞ୍ଜୱାନିରେ ଡ୍ରୋନ କାର୍ଯ୍ୟକଳାପ ଦେଖିବାକୁ ମିଳିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଗତ ସପ୍ତାହ ଭିତରେ ଜମ୍ମୁ କଶ୍ମୀରରେ ଅତି କମରେ ୫ଟି ଡ୍ରୋନ ଉଡୁଥିବାର ନଜରକୁ ଆସିଛି।

ରବିବାର କାଲଚୁକ-ରତୁଚୁକ ମିଲଟାରୀ ଷ୍ଟେସନ ନିକଟରେ ଆଉ ଦୁଇଟି ଡ୍ରୋନ ଠାବ ହୋଇଥିଲା। ଏହାକୁ ଗୁଳି କରି ଖସାଇ ଥିଲା ସେନା ବାହିନୀ। ପୁଣି ସୋମବାର ବିଳମ୍ବିତ ରାତିରେ କୁଞ୍ଜୱାନିରେ ପୁଣି ଏକ ଡ୍ରୋନ ଉଡୁଥିବା ଠାବ କରାଯାଇଥିଲା। ଏହା ସହିତ ମଙ୍ଗଳବାର ଭୋର ପ୍ରାୟ ୪ଟା ୧୯ରେ ଆଉ ଏକ ଡ୍ରୋନ ଠାବ ହୋଇଥିଲା। ଆଇଏଏଫ ଘାଟି ଉପରେ ଡ୍ରୋନ ଆକ୍ରମଣର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ଦିଆଯାଇଛି। ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି। ଡ୍ରୋନ ଦ୍ୱାରା ଫିଙ୍ଗା ଯାଇଥିବା ବିସ୍ଫୋରକରେ ଆରଡିଏକ୍ସ ବ୍ୟବହାର କରାଯାଇଥିବା କୁହାଯାଇଛି।

ଜାତିସଂଘରେ ଭାରତ ଆକ୍ରମଣ ପ୍ରସଙ୍ଗ ଉଠିଛି। ଆତଙ୍କବାଦୀ କାର୍ଯ୍ୟକଳାପରେ ଡ୍ରୋନ ବ୍ୟବହାରକୁ ଗମ୍ଭୀରତାର ସହ ନିଆଯାଉ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭି.ଏସ.କେ କଉମୁଦି ଜାତିସଂଘର ସାଧାରଣ ସଭାରେ କହିଛନ୍ତି।