ହାରିଲା କରୋନା ଜିତିଲେ ବୃଦ୍ଧ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ଦିନକୁଦିନ ବଢ଼ି ଚାଲିଛି। କିନ୍ତୁ ଏସବୁ ମଧ୍ୟରେ ଗୋଟିଏ ଖବର ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିଛି। ନିଜର ମନୋବଳ ଓ ଡାକ୍ତରଙ୍କ ସହଯୋଗକ୍ରମେ ଦିଲ୍ଲୀର ଜଣେ ୭୩ ବର୍ଷୀୟ ବୃଦ୍ଧ ମନମୋହନ ସିଂହ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି। ତାଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି। ଡିସଚାର୍ଜ ହେବା ପରେ, ଏହା ତାଙ୍କ ପାଇଁ ଦ୍ୱିତୀୟ ଜନ୍ମ ସଦୃଶ ବୋଲି ସେ କହିଛନ୍ତି । ଏଥି ସହିତ କରୋନାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ମନୋବଳକୁ ସୁଦୃଢ଼ କରି ଡାକ୍ତରଙ୍କ ପରାମର୍ଶ ମାନିବା ପାଇଁ ମନମୋହନ ସମଗ୍ର ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏ ଘଟଣା ମନରେ ଆଶା ଭରି ଦେଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ।