ଚକାପାଦ/ଫୁଲବାଣୀ,ଏନ୍ଏନ୍ଏସ୍: ଆଜି ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ କନ୍ଧମାଳ ଜିଲ୍ଲାର ୫-ଟି ଅନ୍ତର୍ଗତ ୭୩ ଗୋଟି ରୁପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ରୁପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କୁ ଭର୍ଚୁଆଲ୍ ମୋଡ୍ରେ ଲୋକାର୍ପଣ କରିଛନ୍ତି। ଗତ ନଭେମ୍ବର ୧୧, ୨୦୨୧ରେ ଜିଲ୍ଲାର ୧୦ଟି ପୁରୁଣା ସରକାରୀ ଉଚ୍ଚ ବିଦ୍ୟାଳୟ ନୂତନ ରୂପରେଖ ପାଇଥିଲା। ସେହି ୧୦ ଟି ରୁପାନ୍ତରୀକରଣ ସରକାରୀ ଉଚ୍ଚ ବିଦ୍ୟାଳୟକୁ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଭର୍ଚୁଆଲ୍ ମୋଡରେ ଲୋକାର୍ପଣ କରିଥିଲେ। ରୂପାନ୍ତରଣ ଜରିଆରେ ରାଜ୍ୟରେ ଥିବା ପୁରୁଣା ବିଦ୍ୟାଳୟ ଗୁଡ଼ିକର ଉନ୍ନତିକରଣ କରିବା ପାଇଁ ରାଜ୍ୟ ସରକାର “ମୋ ସ୍କୁଲ” ନାମରେ ଏକ ଅଭିଯାନ ଆରମ୍ଭ କରିଥିଲେ ଯେଉଁଥିରେ କି, ସେହି ସବୁ ବିଦ୍ୟାଳୟରେ ପୂର୍ବରୁ ପାଠ ପଢ଼ି ଏବେ ସମାଜରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କ ସହଯୋଗ କାମନା କରାଯାଇଥିଲା। ସେମାନଙ୍କ ଠାରୁ ଯେତିକି ଟଙ୍କା ମିଳିଥିଲା, ରାଜ୍ୟ ସରକାର ସେହି ବିଦ୍ୟାଳୟକୁ ସେତିକି ଟଙ୍କା ଦେଇଥିଲେ। ଏହି ଅର୍ଥରାଶିକୁ ବିନିଯୋଗ କରି କନ୍ଧମାଳ ଜିଲ୍ଲାର ସମୁଦାୟ ୭୩ଟି ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରାଯାଇପାରିଛି।
ଏହିସବୁ ବିଦ୍ୟାଳୟ ଗୁଡ଼ିକର କୋଠାଘର କେବଳ ରୂପାନ୍ତର ହୋଇନି ବରଂ ଉଚ୍ଚ ମାନର ଶିକ୍ଷା ବ୍ୟବସ୍ଥା ପାଇଁ ସ୍ମାର୍ଟ ଶ୍ରେଣୀ ଗୃହ, ସ୍ମାର୍ଟ ଲାଇବ୍ରେରୀ, ବିଶୁଦ୍ଧ ପାନୀୟ ଜଳ, ସ୍ୱଚ୍ଛ ସୌଚାଳୟ, କମ୍ପ୍ୟୁଟର ଲାବ୍ ନିର୍ମାଣ ସହିତ ଶାରୀରିକ ତଥା ମାନସିକ ବିକାଶ ପାଇଁ ବିଭିନ୍ନ ଖେଳ ତଥା ଯୋଗ ଶିକ୍ଷାର ବ୍ୟବସ୍ଥା ହୋଇଛି। ଆଜିର ସମୟ ଓ ଛାତ୍ରଛାତ୍ରୀମାନଙ୍କର ଆବଶ୍ୟତାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡ଼ିକର ସମସ୍ତ ପ୍ରକାର ଭିତିଭୂମୀ ବା ଅନ୍ତଃନିର୍ମାଣକୁ ସୁଦୃଢ଼ କରାଯାଇଛି। ଯାହା ଫଳରେ, ଜିଲ୍ଲାର ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ପିଲାମାନେ ରାଜ୍ୟର ବଡ଼ ବଡ଼ ଘରୋଇ ବିଦ୍ୟାଳୟରେ ଥିବା ସମସ୍ତ ସୁବିଧା ସୁଯୋଗ ପାଇପାରିବେ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ କହିଆସୁଛନ୍ତିି ଯେ, ମୋ ଓଡ଼ିଶାର ପିଲାମାନେ ସବୁବେଳେ ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ ଏବଂ ଜୀବନର ସବୁ ଆହ୍ୱାନକୁ ସାମ୍ନା କରିବା ପାଇଁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ। ଆମେ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଆମ ଦୃଷ୍ଟିଭଙ୍ଗୀକୁ କେନ୍ଦ୍ରୀଭୂତ କଲେ, ଆମେ ଆମ ରାଜ୍ୟକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେଇପାରିବା। ତେବେ ଏହି ଦୁଇଟି ପର୍ଯ୍ୟାୟରେ ଜିଲ୍ଲାର ୭୩ଟି ସ୍ମାର୍ଟ ବିଦ୍ୟାଳୟକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିବାରୁ ଜିଲ୍ଲାବାସୀ, ଏବଂ ସେହି ସବୁ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଆଜିର ଏହି ଲୋକାର୍ପଣ ଉତ୍ସବରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ନାୟକଙ୍କ ସମେତ ସରକାରୀ ପଦାଧିକାରୀ, ଆଲୁମିନି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଯୋଗଦେଇଥିଲେ। ଉଦଘାଟନି ଉତ୍ସବ ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ବହୁ ଅଞ୍ଚଳବାସୀ ମଧ୍ୟ ସାମିଲ୍ ହୋଇଥିଲେ। ଏହି ଅବସରରେ ଆଜି ଯେଉଁ ସବୁ ବିଦ୍ୟାଳୟ ଗୁଡିକରେ ଉଦ୍ଘାଟିତ ହୋଇଛି ସେହି ସବୁ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ବେସ୍ ସାଜସଜା କରାଯାଇଥିବ ବେଳେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଥିଲା।