ପୁଣି ୫ଟି ଜିଲ୍ଲାର ୫୩୧ଟି ରୂପାନ୍ତରଣ ସ୍କୁଲ ଲୋକାର୍ପିତ

ଭୁବନେଶ୍ବର,ଏନ୍ଏନ୍ଏସ୍: ଦ୍ବିତୀୟ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୫୩୧ଟି ରୂପାନ୍ତରଣ ସ୍କୁଲ ଲୋକାର୍ପିତ। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଆଜି(ଶୁକ୍ରବାର) ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିବସରେ ଏହି ସ୍କୁଲଗୁଡିକୁ ଲୋକାର୍ପିତ କରିଛନ୍ତି। ଏଥି ମଧ୍ୟରୁ ସର୍ବାଧିକ ଗଞ୍ଜାମର ୨୩୦ଟି ହାଇସ୍କୁଲ ରହିଛି।

ସେହିପରି ଢେଙ୍କାନାଳ ଜିଲ୍ଲାର ୧୦୫ଟି, କନ୍ଧମାଳର ୭୩ଟି, ନବରଙ୍ଗପୁରର ୭୩ଟି ଓ ଅନୁଗୋଳ ଜିଲ୍ଲାର ୫୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି। ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ ମଲ୍ଲିକ, ଉପବାଚସ୍ପତି ରଜନୀକାନ୍ତ ସିଂହ, ବିଧାୟକ ଅଙ୍ଗଦ କାହ୍ନର ଓ ବିଧାୟକ ମନୋହର ରନ୍ଧାରୀ ପ୍ରମୁଖ ଉଦବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।ପଞ୍ଚାୟତ୍ତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଅଶୋକ ମୀନା ସ୍ୱାଗତ ଭାଷଣ ଦେଇଥିବାବେଳେ ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ଧନ୍ୟବାଦ ଦେଇଛନ୍ତି।