ଦେବଗଡ଼ରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଦେବଗଡ଼,ଏନ୍ଏନ୍ଏସ୍: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ ଠାରେ ଆଜି ୭୨ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କରୋନା କଟକଣା ମଧ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ କୌଣସି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ନଥିବାବେଳେ କେବଳ ପୁଲିସ ବିଭାଗ ପକ୍ଷରୁ ୨ପ୍ଲାଟୁନ ସଶସ୍ତ୍ର ପୁଲିସ ବଳ ଅଂଶ ଗ୍ରହଣ କରିଥିଲେ। ପୁଲିସ ବ୍ୟାଣ୍ଡ ତାଳରେ ଜାତୀୟ ସଂଗୀତ ପରିବେଷଣ କରାଯିବା ସହ ରାଷ୍ଟ୍ରୀୟ ଧ୍ୱଜକୁ ସଲାମି ପ୍ରଦାନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ସାମଲ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ଉନ୍ନତି ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ସ୍ୱଚ୍ଛତା, ପୋଷଣ, କୁ-ସଂସ୍କାର ଆଦିକୁ ଜନସାଧାରଣଙ୍କ ସହଯୋଗରେ ଜିଲ୍ଲାରୁ ଦୂର କରାଯାଇ ପାରିଥିବାରୁ ଜିଲ୍ଲାବାସୀଙ୍କୁ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ବ୍ୟକ୍ତିଗତ ସ୍ୱାର୍ଥରୁ ଊର୍ଦ୍ଧ୍ୱରେ ରହି ଜିଲ୍ଲାର ସାମୂହିକ ସ୍ୱାର୍ଥ ପାଇଁ ଜିଲ୍ଲାବାସୀ ଏକଜୁଟ ହୋଇ ନିରନ୍ତର ଉଦ୍ୟମ କରିବାକୁ ଜିଲ୍ଲାପାଳ ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ। ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ମହାନ୍ତ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର ମଞ୍ଚରେ ଉପସ୍ଥିତ ଥିଲେ।