ନୂଅଦିଲ୍ଲୀ,ଏଜେନ୍ସି: କରୋନା ସଂକ୍ରମଣ ମଧ୍ୟରେ ରେଳବାଇ ଯାତ୍ରୀମାନଙ୍କ ସୁବିଧା ପାଇଁ ବହୁ ସଂଖ୍ୟକ ସଂରକ୍ଷିତ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଆଜିଠାରୁ ଭାରତୀୟ ରେଳବାଇ ପକ୍ଷରୁ ୭୧ଟି ଅଣ ସଂରକ୍ଷିତ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏହି ଟ୍ରେନଗୁଡିକ ବାରଣାସୀ-ସୁଲତାନପୁର, ଅମୃତସର-ପଠାନକୋଟ୍, ଜଳନ୍ଦର ସିଟି-ପଠାନକୋଟ୍, ଫିରୋଜପୁର-ଲୁଧିଆନା, ଭଟିଣ୍ଡା-ଫିରୋଜପୁର, ଦିଲ୍ଲୀ-ରୋହତକ ଓ ଦିଲ୍ଲୀ-ପାନିପଥ ମଧ୍ୟରେ ଚଳାଚଳ କରିବ। ଉତ୍ତର ରେଳବାଇ ପକ୍ଷରୁ ଏହି ଟ୍ରେନଗୁଡିକ ଚଳାଚଳ କରାଯାଉଛି।
ଏହି ଟ୍ରେନଗୁଡିକ ଯାତ୍ରୀମାନଙ୍କ ଆରାମଦାୟକ ଓ ନିରାପଦ ଯାତ୍ରାକୁ ସୁନିଶ୍ଚିତ କରିବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। କୋଭିଡ କାରଣରୁ ସଂରକ୍ଷିତ ଟ୍ରେନ୍, ସ୍ୱତନ୍ତ୍ର ଟ୍ରେନ୍ ନାମରେ ଚାଲିବ। ଯଦିଓ ଏହି ଟ୍ରେନଗୁଡିକର ଭଡା ଯାତ୍ରୀବାହୀ ଟ୍ରେନ୍ ଭଳି ଶସ୍ତା ହେବ ନାହିଁ ବରଂ ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ୍ ଭଡ଼ା ସହିତ ସମାନ ହେବ।