ଆଜିଠୁ ରାଜ୍ୟର ୧୦ ଜିଲ୍ଲାରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ଅସ୍ତବ୍ୟସ୍ତ କଲାଣି କରୋନା। ହୁ ହୁ ହୋଇ ସଂକ୍ରମଣ ବଢିଚାଲିଛି। ଏହି ଉପରମୁହାଁ କରୋନା ଗ୍ରାଫକୁ ନେଇ ଏବେ ଚିନ୍ତାରେ ରାଜ୍ୟବାସୀ। କରୋନାର ଏହି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆଜି ଠାରୁ ରାଜ୍ୟର ୧୦ ଜିଲ୍ଲାରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ।

ରାଜ୍ୟ ବାହାରୁ ସଂକ୍ରମଣର ଭୟ ଅଧିକ ରହିଥିବାରୁ ଅଧିକ ସଂକ୍ରମଣ ବଢୁଥିବା ରାଜ୍ୟ ଗୁଡିକର ସୀମାନ୍ତବର୍ତ୍ତୀ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲା ଉପରେ କଟକଣା ଲଗାଇବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି।

ପୁରା ରାଜ୍ୟ ପାଇଁ ଭୟ ବଢାଇଥିବା ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନାଗିରି, ଝାରସୁଗୁଡ଼ା, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗିର ଓ ବରଗଡ ଜିଲ୍ଲାରେ ଆଜି ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ ନାଇଟ୍ କର୍ଫ୍ୟୁ।

ଏହି ଜିଲ୍ଲା ଗୁଡିକର ସଂକ୍ରମଣକୁ ରୋକିବା ପାଇଁ ଏବଂ ସଂକ୍ରମଣର ପ୍ରକୃତ ଷ୍ଟ୍ରେନ୍ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଜିଲ୍ଲାରେ ସମସ୍ତ କରୋନା କଟକଣା କଡାକଡି ପାଳନ କରିବାକୁ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।