ବିଦ୍ୟୁତ ତାର ଧରି ଦୁଇ ହାତ ହରାଇଲା ୭ ବର୍ଷର ମୁନା

ରିଆମାଳ,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ କଣ୍ଟାବାହାଳ ପଞ୍ଚାୟତ ଲକ୍ଷ୍ମୀପୁର ଗ୍ରାମରେ ଘଟିଛି ଏକ ଦୁଖଦଃ ଘଟଣା। ଗ୍ରାମର ଜିଲୁ ମାଝୀଙ୍କ ୭ ବର୍ଷର ପୁଅ ମୁନା ମାଝୀ ଛାତ ନିକଟ ଦେଇ ଯାଇଥିବା ବିଦ୍ୟୁତ ତାର ଧରି ନିଜ ଦୁଇ ହାତକୁ ସବୁଦିନ ପାଇଁ ହରାଇଛି। ମାତ୍ର ପରିତାପର ବିଷୟ ଆଜକୁ ୨୪ ଦିନ ହେବ ଘଟଣା ଘଟିଥିଲେ ମଧ୍ୟ ଏଭଳି ଦୁଃଖ ସମୟରେ ପ୍ରଶାସନ ଓ ସରକାର ନିଦାବିଷ୍ନୁ ସଜିଛନ୍ତି। ବିଦ୍ୟୁତ୍‌ ବିଭାଗ କୌଣସି ସହାୟତା କରିବା ତ ଦୂରର କଥା ପାଖରେ ପହଞ୍ଚି ପାରି ନଥିବା ବେଳେ ଲୋକ ଲଗାଇ ବିଦ୍ୟୁତ ତାରକୁ ହଟାଇ କାମ ସାରି ଦେବାକୁ ବସିଛି। ଖବରପାଇ ଭୁବନେଶ୍ଵର ସ୍ଥିତ ହାଇଟେକ ମେଡିକାଲରେ ପୁଅର ଚିକିତ୍ସା କରୁଥିବା ଜିଲୁ ପୁଅକୁ ମେଡିକାଲରେ ଛାଡି ଘରକୁ ଆସିଛି। ବିଦ୍ୟୁତ ବିଭାଗର ଏଭଳି ମନମୁଖୀ କାର୍ଯ୍ୟ ପାଇଁ ଜିଲୁ କୁଣ୍ଢେଇଗୋଳା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ପୁଅକୁ କିଭଳି ଆର୍ଥିକ ସହାୟତା ମିଳିପାରିବ ଏନେଇ ଦେବଗଡ ବିଦ୍ୟୁତ କାର୍ଯ୍ୟାଳୟ ଓ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଗତ ଜୁଲାଇ ୧ ତାରିଖ ରଥଯାତ୍ରା ଦିନ ମୁନାକୁ ଧରି ପରିବାର ଲୋକ ଉକ୍ତ ଗ୍ରାମର ସମ୍ପର୍କୀୟ ପବନୀ ବେହେରା ଘରକୁ ଯାଇଥିଲେ। ଅପରାହ୍ନ ୩ଟା ସମୟରେ ତାଙ୍କ ଘର ଛାତ ଉପରକୁ ମୁନା ଖେଳିବାକୁ ଚଢି ଥିଲା। ଛାତ ନିକଟ ଦେଇ ହେଭି କରେଣ୍ଟ ଥିବା ବିଦ୍ୟୁତ ତାର ଟଣା ହୋଇଥିଲା। ଖେଳିବା ସମୟରେ ମୁନା ସେହି ତାରକୁ ଧରି ପକେଇଥିଲା। ବିଦ୍ୟୁତ ଅଘାତ ପାଇ ହାତ ଦୁଇଟି ଜଳି ଯାଇଥିଲା।ସଙ୍ଗେ ସଙ୍ଗେ ପରିବାର ଲୋକ ଛତାବର ପରେ ଦେବଗଡ, ବୁର୍ଲା, କଟକ ଓ ପରେ ଭୁବନେଶ୍ଵର ସ୍ଥିତ ହାଇଟେକ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା ଜାରି କରିଥିଲେ। ୧୦ ଦିନରୁ ଊର୍ଦ୍ଧ୍ୱ ଦିନ ଚିକିତ୍ସା ଜାରି ପରେ ହାତ ଭଲ ହୋଇ ନଥିଲା। ଗତ ୨୦ ତାରିଖ ଦିନ ହାତ ଦୁଇଟି କଟାଯାଇଥିଲା। ପୁଅର ଏଭଳି ଅବସ୍ଥା ଦେଖି ବାପା ଓ ମା’ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛନ୍ତି। ୨୪ ଦିନ ହନ୍ତସନ୍ତ ହୋଇ ବହୁ ଖର୍ଚ୍ଚାନ୍ତ ହୋଇ ସର୍ବସାନ୍ତ ହୋଇ ପଡିଛନ୍ତି ପରିବାର। ପୁଅର ଭବିଷ୍ୟତ କ’ଣ ହେବ ସେ ନେଇ ପୁରା ପରିବାର ଚିନ୍ତାରେ ଭାଙ୍ଗି ପଡିଛନ୍ତି। ଯଥା ଶୀଘ୍ର ରାଜ୍ୟ ସରକାର ଏ ଉପରେ ନଜର ପକାଇ ମୁନାକୁ ଆର୍ଥିକ ଅବସ୍ଥା ସହ କୁତ୍ରିମ ହାତ ଲଗାଇବାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ପରିବାର।