ଶପଥ ନେବେ ଦ୍ରୌପଦୀ, ଜନ୍ମମାଟିରେ ଉତ୍ସବ ମାହୋଲ

ରାଇରଙ୍ଗପୁର,ଏନ୍ଏନ୍ଏସ୍: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ସୋମବାର) ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ସଂସଦର କେନ୍ଦ୍ରୀୟ ହଲରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯାହାକୁ ନେଇ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ରାଇରଙ୍ଗପୁରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।

ରାଇରଙ୍ଗପୁର ସ୍ଥିତ କଲ୍ୟାଣୀ ମଣ୍ଡପ ସମ୍ମୁଖରେ ବାଣ ଫୁଟାଇ, ଆଦିବାସୀ ପାରମ୍ପରିକ ନୃତ୍ୟ ଗୀତରେ ଲୋକେ ମସଗୁଲ ହୋଇଛନ୍ତି । ମାଟିର ଝିଅ ଆଜି ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ସେନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି । ଏହି ଅବସରରେ ମିଠା ବଣ୍ଟନ କରି ଅଞ୍ଚଳବାସୀ ନିଜ ଖୁସି ଜାହିର କରିବେ । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣର ସିଧାପ୍ରସାରଣ ଦେଖିବା ପାଇଁ ରାଇରଙ୍ଗପୁର କଲ୍ୟାଣୀ ମଣ୍ଡପଠାରେ ଏଲସିଡିର ବ୍ୟବସ୍ଥା କରାଯାଇଛି । ଆଜି ଜଣେ ଆଦିବାସୀ ମହିଳା ପ୍ରଥମ ଥର ପାଇଁ ରାଷ୍ଟ୍ରପତି ପଦରେ ବସିବାକୁ ଯାଉଛନ୍ତି ଯାହା ସମଗ୍ର ଦେଶ ପାଇଁ ଗୌରବର ବିଷୟ ।