ସାହାରପଡା ବ୍ଲକରୁ ପ୍ରଥମ କରୋନା ଆକ୍ରାନ୍ତ ପରେ ୭ ଗାଁ’କୁ ୭୨ ଘଣ୍ଟା ସଟଡାଉନ କଲେ ସରପଞ୍ଚ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିବା ପରେ ସରପଞ୍ଚ ନିଜେ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ୭ ଗାଁକୁ ୭୨ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟଡାଉନ କରିଛନ୍ତି। ଚିହ୍ନଟ ଯୁବକ ଜଣଙ୍କ ବାଇକଳା ପଞ୍ଚାୟତ ଅଞ୍ଚଳର ୨୪ ବର୍ଷୀୟ ହୋଇଥିବାବେଳେ ମହାରାଷ୍ଟ୍ରରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିଲେ। ତାଙ୍କ ନିକଟରେ ଲକ୍ଷଣ ଦେଖାଯିବା ପରେ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା। କିନ୍ତୁ ସମ୍ପୃକ୍ତ ଯୁବକ ସ୍ୱାବ ରିପୋର୍ଟ ଆସିବ ପୂର୍ବରୁ ସଙ୍ଗରୋଧ କେନ୍ଦ୍ରରୁ ଘରକୁ ପଳାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

କରୋନାକୁ ନେଇ ସମସ୍ତ ଲୋକ ଭୟଭିତ ଥିବା ବେଳେ ସରକାର ଏହାର ମୁକାବିଲା କରି ସଂକ୍ରମଣ କମାଇବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସରପଞ୍ଚ କାହା ନିର୍ଦ୍ଦେଶରେ ଯୁବକଙ୍କୁ ଘରକୁ ଛାଡିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଯୁବକ ଜଣଙ୍କ ସଙ୍ଗରୋଧ କେନ୍ଦ୍ରରୁ ଆସିବା ପରେ ଗାଁ’ ସାରା ବୁଲି ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଉପଯୁକ୍ତ ପଦକ୍ଷେପ ନେଇ ଭ୍ରମଣ ଇତିହାସ ଉପରେ ଧ୍ୟାନ ଦେଇ ପଦକ୍ଷେପ ନେବାକୁ ପଞ୍ଚାୟତ ବାସୀ ଦାବି କରିଛନ୍ତି। ସେପଟେ କରୋନା ଚିହ୍ନଟ ପରେ ବାଇକଳା ପଞ୍ଚାୟତର ୭ଟି ଗ୍ରାମକୁ ସରପଞ୍ଚ କୌଶଲ୍ୟା କାଲୁଣ୍ଡିଆ ୭୨ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି। ସରପଞ୍ଚଙ୍କ ଜରୁରୀ କାଳୀନ ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।