ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଗୁରୁତର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଥାନା ଅନ୍ତର୍ଗତ ଛେପଲିପାଲି ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ସଦସ୍ୟ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଛେପଲିପାଲି ଗ୍ରାମର ରମେଶ ମହାନନ୍ଦଙ୍କ ବାଡ଼ିରେ କିଛି ଛତୁ ଫୁଟିଥିବା ଦେଖି ରମେଶ ଏହାକୁ ତୋଳି ନିଜ ଘରକୁ ଆଣିଥିଲେ। ମଧ୍ୟାହ୍ନ ଭୋଜନରେ ରମେଶଙ୍କ ପରିବାର ସଦସ୍ୟ ମାନେ ଏହି ଛତୁ ଖାଇଥିଲେ। କିଛି ସମୟ ପରେ ଛତୁର ବିଷ କ୍ରିୟାରେ ଖାଇଥିବା ସମସ୍ତ ସଦସ୍ୟ ବାନ୍ତି କରିବା ସହ ଅସୁସ୍ଥ ହୋଇପଡିଥିଲେ।

ପଡିଶା ଲୋକେ ଏହା ଜାଣି ପାରି ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେବାରୁ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ରମେଶ ମହାନନ୍ଦ, କେରୋ ମହାନନ୍ଦ, ହୃଷିକେଶ ମହାନନ୍ଦ, ଅଞ୍ଜନା ଭୋଜ, ପଲ୍ଲୀ ଭୋଜ, ଗୁଲୁ ଭୋଜ ଓ ଚଇତୁ ଭୋଜଙ୍କୁ ତୁରନ୍ତ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏବେ ମଧ୍ୟ ସମସ୍ତ ୭ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି।