ବଲାଙ୍ଗିର ପୁଲିସ ଦ୍ୱାରା ୭ଟି ମୋଟର ସାଇକଲ ଜବତ, ୫ ଅଭିଯୁକ୍ତ ଗିରଫ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଟାଉନ ଥାନା ପୁଲିସ ମୋଟରସାଇକଲ ଚୋରୀ ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୭ଟି ଚୋରୀ ମୋଟରସାଇକଲ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଟିକ୍ରାପଡ଼ା ଗାଁର ରବୀନ୍ଦ୍ର ଦାସ(୨୩), ହରିଶଙ୍କର ମେହେର(୨୬), କଳାହାଣ୍ଡି ଜିଲ୍ଲା ମଦନପୁର ଥାନା ଅନ୍ତର୍ଗତ ସିକେଲକୁପା ଗାଁର ତପି ରଣା(୨୩) , ଟିକ୍ରାପଡ଼ାର ନାଥୁ ଦାସ ଓ ହିମାଂଶୁ ମେହେର। ପୁଲିସର କହିବାନୁଯାୟୀ, ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଥିବା ଫାଣ୍ଡିରେ ଏଏସଆଇ ବିଶ୍ୱାମିତ୍ର ଲୋଇ କାର୍ଯ୍ୟରତ ଥିବାବେଳେ ଏକ ବାଳକ ସନ୍ଦିଗ୍ଧ ଅବସ୍ଥାରେ ମୋଟର ସାଇକଲ ପାର୍କି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ପାଇଥିଲେ। ପରେ ସନ୍ଦେହ ହେବାରୁ ବାଳକକୁ ଶ୍ରୀ ଲୋଇ ପଚରାଉଚୁରା କରିବା ସହିତ ତା’ର ଖାନତଲାସି କରିଥିଲେ। ଏହି ସମୟରେ ଶ୍ରୀ ଲୋଇ ବାଳକ ନିକଟରୁ ୭ଟି ମୋଟରସାଇକେଲ ଚାବି ପାଇଥିଲେ। ଏଥିସହିତ ବିଭିନ୍ନ ସମୟରେ ହସ୍ପିିଟାଲରୁ ଚୋରୀ ହୋଇଥିବା ୭ଟି ମୋଟର ସାଇକେଲ ଚୋରୀରେ ମଧ୍ୟ ସେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲା। ବାଳକର ବୟାନକୁ ଆଧାର କରି ପୁଲିସ ଚଢ଼ଉ କରି ତୁଷୁରା ଟିକ୍ରାପଡ଼ାର ରବୀନ୍ଦ୍ରଙ୍କ ଘରୁ ୫ଟି ମୋଟରସାଇକଲ ଜବତ କରିଥିଲା। ସେହିପରି ହରିଶଙ୍କର ଓ ତପିଙ୍କ ଘରୁ ଗୋଟାଏ ଲେଖାଏଁ ମୋଟରସାଇକଲ ଜବତ କରିଥିଲା। ତଦନ୍ତ ସମୟରେ ଏହି ଚୋରୀରେ ସମ୍ପୃକ୍ତ ଥିବା ପ୍ରମାଣ ପାଇବା ପରେ ପୁଲିସ ନାଥୁ ଦାସ ଓ ହିଂମାଶୁ ମେହେରଙ୍କୁ ମଧ୍ୟ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।