ମାଲକାନଗିରିରୁ ଆଉ ୫ ଜଣ କରୋନା ପଜିଟିଭ ଚିହ୍ନଟ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଖଇରପୁଟ ବ୍ଲକ ଗୋଟିଗୁଡ଼ା ଗ୍ରାମର ଓ ଅନ୍ୟଜଣେ ମାଲକାନଗିରି ପୌରପରିଷଦ ଅଞ୍ଚଳର ଅଛନ୍ତି। ମାଲକାନଗିରି ପୌରପରିଷଦ ଅଞ୍ଚଳର ଆକ୍ରାନ୍ତ ଜଣଙ୍କ ପୂର୍ବରୁ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ଅନ୍ୟ ୩ ଜଣ ପଡ଼ିଆ ବ୍ଲକ କଲୋନୀ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ହୋଇଥିବା ବେଳେ ସେମାନେ ନୂଆଦିଲ୍ଲୀ ଫେରନ୍ତା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏନେଇ ଗୋଟିଗୁଡ଼ା ଗ୍ରାମ ଓ ପଡ଼ିଆ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହାକୁ ଗତକାଲି ରାତ୍ରି ୯ ଟାରୁ ଆସନ୍ତା ୬ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲାଗୁ କରାଯାଇଛି। ସେହିପରି ମାଲକାନଗିରି ପୌରପରିଷଦ ଅଞ୍ଚଳକୁ ଗତକାଲି ରାତ୍ରି ୮ଟାରୁ ଆସନ୍ତା ୫ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି। ଏହି ସଟଡାଉନ ସମୟରେ ଅଞ୍ଚଳର କିଛି ଔଷଧ ଦୋକାନକୁ ବାଦ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏହି ସମୟରେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି. ଖିଲାରୀ ସହରର ବିଭିନ୍ନ ଅଞ୍ଚଳ ବୁଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ବର୍ତ୍ତମାନ ୫୮ ଜଣ ଚିକିତ୍ସାଧୀନ ଅଛନ୍ତି।