ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଅବକାରୀ ବିଭାଗ ପେଟ୍ରୋଲିଂ ସମୟରେ ୭ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ଦେଓଗାଁ ଥାନା ଅନ୍ତର୍ଗତ ମହଲାଇ ଗାଁର ଶଙ୍କର ସାହୁ । ମିଳିଥିବା ରିପୋର୍ଟ ମୁତାବକ, ଅବକାରୀ ବିଭାଗ ଅଧିକାରୀ ସତ୍ୟ ନାରାୟଣ ଦାସ ଆଜି ପେଟ୍ରୋଲିଂ କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ହରିଶଙ୍କର ରାସ୍ତାରେ ଥିବା ବର୍ଥଲା ଛକରେ ଏକ ବାଇକ ଚାଳକକୁ ସନ୍ଦେହ କରି ଅଟକାଇ ଥିଲେ । ଏହି ସମୟରେ ଚାଳକ ଜଣକ ପଳାଇ ଯିବାକୁ ଉଦ୍ୟମ କରୁଥିବାବେଳେ ଅବକାରୀ ବିଭାଗର କର୍ମଚାରୀମାନେ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ପରେ ଅଭିଯୁକ୍ତଙ୍କ ବାଇକରୁ ପ୍ରାୟ ୭ କେଜି ଗଞ୍ଜେଇ ବାହାରି ଥିଲା । ଅଭିଯୁକ୍ତଙ୍କ ନାଁରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କା ହେବ ବୋଲି ଶ୍ରୀ ଦାସ କହିଛନ୍ତି । ଏହି ଚଢ଼ଉ ସମୟରେ ବୁଲୁ ସେଠୀ, ଗୁଣମତି ମାଝୀ, ବଳରାମ ପ୍ରଧାନ ଓ ଦୁଲେଶ୍ୱର କୁମୁରା ସହଯୋଗ କରିଥିଲେ ।