ଆଜି ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ ପାଇଁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟା ଦଶମୀ ଶୁଭ ଅବସରରେ ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ,ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ଶିଳ୍ପ ସଙ୍ଗଠନର ପ୍ରତିନିଧିମାନେ ଉପସ୍ଥିତି ରହିବେ।

ମିଳିଥିବା ସୂଚନା ଅନୁସାରେ, ଦେଶର ପ୍ରତିରକ୍ଷା ପ୍ରସ୍ତୁତିରେ ଆତ୍ମର୍ନିଭରଶୀଳତା ପାଇଁ ଏକ ପଦକ୍ଷେପ ଭାବରେ ଯୁଦ୍ଧାସ୍ତ୍ର କାରଖାନା ବୋର୍ଡକୁ ଏକ ସରକାରୀ ବିଭାଗରୁ ସାତଟି ଶତ ପ୍ରତିଶତ ସରକାରୀ ମାଲିକାନା କର୍ପୋରେଟ୍ ସଂସ୍ଥାରେ ପରିଣତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ଉନ୍ନତ କାର୍ଯ୍ୟ ସ୍ବାଧୀନତା, ଦକ୍ଷତା ଆଣିବ ଏବଂ ନୂତନ ଅଭିବୃଦ୍ଧିର ସମ୍ଭାବନା ଆଣିବ।

ସାତୋଟି ନୂତନ ପ୍ରତିରକ୍ଷା କମ୍ପାନୀଗୁଡିକ ହେଲା ମୁନିସନସ ଇଣ୍ଡିଆ ଲିମିଟେଡ୍ (ଏମ୍‍ଆଇଏଲ), ଆରମୋର୍ଡ ଭେଇକିଲ୍‍ ନିଗମ ଲିମିଟେଡ୍ (ଏଭିଏଏନ୍‍ଆଇ), ଆଡଭାନ୍ସ ଉଇପନ ଆଣ୍ଡ ଇକ୍ୟୁପମେଣ୍ଟ ଇଣ୍ଡିଆ ଲିମିଟେଡ୍ (ଏଡବ୍ଲ୍ୟୁଇ ଇଣ୍ଡିଆ), ଟ୍ରୁପ୍ କମ୍ଫଟ୍‍ସ ଲିମିଟେଡ୍ (ଟିସିଏଲ), ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ (ୱାଇଆଇଏଲ୍‍), ଇଣ୍ଡିଆ ଅପ୍ଟେଲ ଲିମିଟେଡ୍ (ଆଇଓଏଲ୍‍), ଏବଂ ଗ୍ଲିଇଡର୍ସ ଇଣ୍ଡିଆ ଲିମିଟେଡ୍ (ଜିଆଇଏଲ୍‍)।