ଜିଲ୍ଲାରେ ୭ କରୋନା ପଜିଟିଭ ଚିହ୍ନଟ: ଜଣେ ବିଏସଏଫ ଯବାନ ଓ ୨ ପୁଲିସ କର୍ମଚାରୀ ସାମିଲ

କୋରାପୁଟ,ଏନ୍ଏନ୍ଏସ୍: ରବିବାର କୋରାପୁଟ ଜିଲ୍ଲାରେ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବିଏସଏଫ ଯବାନ୍ ଓ ୨ଜଣ ପୁଲିସ କର୍ମଚାରୀ ଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜି ଚିହ୍ନଟମାନଙ୍କ ଭିତରୁ କୋରାପୁଟ ପୌରାଞ୍ଚଳର ୬ ଜଣ ଥିବାବେଳେ କୁନ୍ଦୁରା ବ୍ଲକରୁ ଜଣେ ଥିବା ଜଣାପଡ଼ିଛି।

କୋରାପୁଟ ପୌରାଞ୍ଚଳରେ ଚିହ୍ନଟ ୬ ଆକ୍ରାନ୍ତଙ୍କ ଭିତରୁ ଜଣେ ସାନଚିନ୍ଦିରି ଗ୍ରାମର ହୋଇଥିବାବେଳେ ବିଏସଏଫ କ୍ୟାମ୍ପର ଜଣେ, ଓଏସଏପିର ୨ ଜଣ, ଗୌତମ ନଗରର ଜଣେ ଏବଂ ଅମୀନ ଲାଇନର ଜଣେ ଥିବା ଜଣାପଡ଼ିଛି। ସେହିପରି କୁନ୍ଦୁରା ବ୍ଲକର ଜଣେ ବ୍ୟକ୍ତି କଟକ ଏସସିବିରେ ଅନ୍ୟ କୌଣସି ରୋଗରେ ଚିକିତ୍ସିତ ହେଉଥିବାବେଳେ କରୋନା ଆକ୍ରାନ୍ତ ବୋଲି ଜଣାପଡିଥିଲା। ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଅନୁସାରେ ଚିହ୍ନଟ ବିଏସଏଫ ଯବାନ ଜଣଙ୍କ ବୌଦ୍ଧରୁ ଫେରିଥିଲେ।

ସେହିପରି ଅନ୍ୟ ୬ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଅପରପକ୍ଷରେ ଜୟପୁର ସହରରେ ଆଜି ସଟଡାଉନର ଦ୍ୱିତୀୟ ଦିନ ଚାଲିଥିବାବେଳେ ଡୋର ଟୁ ଡୋର ସର୍ଭେକୁ ସମସ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଏଥିସହ ସମସ୍ତେ ଲକଡାଉନ ଓ ସଟଡାଉନର ନିୟମକୁ ମାନି ଜିଲ୍ଲା ପ୍ରଶାସନକୁ ସହାୟତା କରିବା, ନିଜ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ବ୍ୟବହାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।