କରୋନା କାୟା: ଗୋଟିଏ ଦିନରେ ସର୍ବାଧିକ ୬୬୫୪ କରୋନା ପଜିଟିଭ

ନୂଆଦିଲ୍ଲୀ: ଦେଶରେ ଲକଡାଉନ ସତ୍ୱେ କରୋନା ପଜିଟିଭଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୬୬୫୪ଟି ନୂଆ ମାମଲା ସାମ୍ନାକୁ ଆସିବା ସହ ୧୩୭ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧ଲକ୍ଷ ୨୫ହଜାର ୧୦୧ ଜଣ ସଂକ୍ରମିତ ହୋଇଛନ୍ତି। ଆଉ ୫୧ ହଜାର ୭୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭଲ କଥାଟି ହେଲା କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ହାର ୪୧.୩୯ ପ୍ରତିଶତ ରହିଛି।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ସର୍ବାଧିକ ୪୪ ହଜାର ୫୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୭ ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ପରେ ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୨୬୮ ହୋଇଥିବାବେଳେ ୮୦୨ ଜଣଙ୍କର ମୃତ୍ୟୁ ଘଟିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ୩୧୯ ହୋଇଥିବାବେଳେ ୨୦୮ଜଣଙ୍କର ମୃତ୍ୟୁ ଘଟିଛି।