୧୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଓ ପ୍ରତାରଣା ଅଭିଯୋଗରେ ୬୫ ବର୍ଷୀୟ ବୃଦ୍ଧ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ମସିନ୍ତା ଗ୍ରାମର ଜଣେ ୧୪ ବର୍ଷୀୟା ନାବାଳିକାକୁ ଉକ୍ତ ଗ୍ରାମର ଜଣେ ୬୫ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିବା ପରେ ନାବାଳିକା ଗର୍ଭବତୀ ହୋଇ ଏକ ସନ୍ତାନର ଜନନୀ ହୋଇଥିଲେ। ନାବାଳିକାର ପିତାଙ୍କ ଅଭିଯୋଗ କ୍ରମେ ନାବାଳିକାକୁ ପ୍ରତାରଣା କରିଥିବା ଅଭିଯୁକ୍ତ ବ୍ରଜ ମୁଣ୍ଡାକୁ ଶିଶୁ ମଙ୍ଗଳ ସମିତି ନିର୍ଦ୍ଦେଶ ପରେ ବାରକୋଟ ଥାନା ପୁଲିସ ଦୁଷ୍କର୍ମ ଓ ପୋକ୍ସ ଆକ୍ଟରେ ମାମଲା ରୁଜୁ କରି ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ ମସିନ୍ତା ଗ୍ରାମର ଜଣେ ୧୪ ବର୍ଷୀୟା ନାବାଳିକାକୁ ଉକ୍ତ ଗ୍ରାମର ବ୍ରଜ ମୁଣ୍ଡା ନାମକ ଜଣେ ୬୭ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିବା ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ଫଳରେ ଗତ ମାର୍ଚ୍ଚ ୧୨ ତାରିଖ ଦିନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉକ୍ତ ନାବାଳିକାକୁ ନିଜ ତତ୍ତ୍ୱାବଧାନରେ ରଖି ଦେଖାଶୁଣା କରୁଥିବା ବେଳେ ଏପ୍ରିଲ ୬ ତାରିଖ ଦିନ ନାବାଳିକା ଜଣକ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ଘଟଣା ପରେ ଉକ୍ତ ଗାଁ’ରେ ୱାର୍ଡ ମେମ୍ବର ଶାନ୍ତି ହେନେଜ ଓ ତାଙ୍କ ସ୍ୱାମୀ ସୁରେନ ମୁଣ୍ଡାଙ୍କ ନେତୃତ୍ୱରେ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ନିଷ୍ପତି ଅନୁଯାୟୀ ଅଭିଯୁକ୍ତ ବ୍ରଜ ନାବାଳିକାକୁ ସ୍ତ୍ରୀ ଭାବେ ଗ୍ରହଣ କରିବାକୁ ରାଜି ହେବାସହ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ନକରିବାର ନିଷ୍ପତି ନେଇଥିଲେ।

ବୈଠକ ପରେ ଅଭିଯୁକ୍ତ ବ୍ରଜ ନାବାଳିକାକୁ ନିଜ ଘରେ ଏକ ସପ୍ତାହ ପର୍ଯ୍ୟନ୍ତ ରଖିବା ପରେ ଘରୁ ତଡିଦେଇଥିଲା। ଫଳରେ ଉଭୟ ମା’ ଓ ଶିଶୁ ନିରାଶ୍ରୟା ହୋଇଯାଇଥିଲେ। ଏହା ଦେଖି ଉକ୍ତ ଗ୍ରାମର ଆଶା କର୍ମୀ ସୁକମାନି ତିର୍କୀ ଓ ଅଙ୍ଗନବାଡି ଦିଦି ଜୟନ୍ତୀ ମୁଣ୍ଡା ଉଭୟ ପୀଡିତାଙ୍କୁ ଏପ୍ରିଲ ୧୫ ତାରିଖ ଦିନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ନିକଟକୁ ଆଣି ସହାୟତା ପାଇଁ ଅନୁରୋଧ କରିଥିଲେ। ଫଳରେ ସେହି ଦିନ ଠାରୁ ପୀଡିତ ନାବାଳିକା ଓ ନବଜାତ ଶିଶୁକୁ ସପୋର୍ଟ ଶିଶୁ ଆଶ୍ରୟ ଗୃହରେ ରଖାଯାଇଥିବା ବେଳେ ଏହି ଘଟଣାକୁ ଅନୁଧ୍ୟାନ କରି ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିର୍ଦ୍ଦେଶରେ ଶିଶୁ ସୁରକ୍ଷା ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିବା ସହ ପୀଡିତା ନାବାଳିକାର ପିତାଙ୍କ ଅଭିଯୋଗ କ୍ରମେ ବାରକୋଟ ଥାନା ପୁଲିସ ଅଭିଯୁକ୍ତ ବୃଦ୍ଧ ବ୍ରଜ ବିରୋଧରେ ଦୁଷ୍କର୍ମ ଓ ପୋକ୍ସ ଆକ୍ଟର ବିଭିନ୍ନ ଧାରାରେ ଏକ ମାମଲା ରୁଜୁ କରି ଗିରଫ କରିଥିବା ଜଣାପଡିଛି।