କଟକ,ଏନ୍ଏନ୍ଏସ୍: ବରିଷ୍ଠ ପୁଲିସ ଅଧିକାରୀଙ୍କ ୬୩ ତମ ବାର୍ଷିକ ସମ୍ମିଳନୀ ଆଜି ଅପରାହ୍ନରେ ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀର ପ୍ରଥମ ଦିନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହେଉଥିବା ଉକ୍ତ ସମ୍ମିଳନୀରେ ଡିଜିପି ତାଙ୍କ ବକ୍ତବ୍ୟରେ ପୁଲିସ ବିଭାଗର ବିଭିନ୍ନ ଉଲ୍ଲେଖନୀୟ ସଫଳତା ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇଥିବା ସଂକ୍ରାନ୍ତରେ କହିବା ସହ ନାର୍କୋଟିକ୍ସ କାରବାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଶା କାରବାର କରୁଥିବା ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି କହିଥିଲେ।
ସଙ୍ଗଠିତ ଅପରାଧ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଶାନ୍ତି ପୂର୍ଣ୍ଣ ଆଇନ୍ ଏବଂଶୃଙ୍ଖଳା, ନିଖୋଜ ପିଲାମାନଙ୍କ ସନ୍ଧାନ, ୱାରେଂଟ ଗୁଡ଼ିକର କାର୍ଯ୍ୟକାରିତା,ଅନୁସନ୍ଧାନ ପ୍ରକ୍ରିୟାର ଉନ୍ନତି ଆଦି ସଫଳତା ସଂକ୍ରାନ୍ତର ଡିଜିପି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଡିଜିପି ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ରାଜ୍ୟରେ୧୧ଟି ନୂତନ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପ୍ରତିଷ୍ଠା, କମିଶନରେଟ୍ ପୋଲିସ୍ ଅଞ୍ଚଳରେ ୩ଟି ନୂତନ ଥାନା ପ୍ରତିଷ୍ଠା, କଟକ-ଭୁବନେଶ୍ୱର ଡିସିପିଙ୍କ ଅଧୀନରେ ସ୍ୱତନ୍ତ୍ର କ୍ରାଇମ୍ୟୁନିଟ୍, ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ଦମନ ନିମନ୍ତେ ସ୍ୱତନ୍ତ୍ର ୱିଙ୍ଗ୍, ଏସ୍ଟିଏଫ୍ ଅଧିନରେ ଏସ୍ପି ନାର୍କୋଟିକ୍ସ ଓ ଅନ୍ୟ କର୍ମଚାରୀଙ୍କ ନୂତନ ପୋଷ୍ଟ, ନୂତନ ପୋଲିସ କ୍ୱାଟର୍ସ ନିର୍ମାଣ ନିମନ୍ତେ ମଞ୍ଜରୀ, ଲାନ୍ସ ନାଏକ ପଦବୀ ରଦ୍ଦ ଓ ହାବିଲଦାର ପଦବୀ ସୃଷ୍ଟି ଏବଂ ମାଓ ପ୍ରଭାବିତ ଅଂଚଳରେ ରାସ୍ତାଘାଟ ଏବଂ କୋଠାବାଡି ନିର୍ମାଣ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଯୋଗୁଁ ଡିଜିପି ଶ୍ରୀଅଭୟ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ।
ଏହି ଅବସରରେ ଡିଜିପି ଶ୍ରୀ ଅଭୟ ୨୦୨୨ ମସିହା ନିମନ୍ତେ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ଯୋଜନା ସଂକ୍ରାନ୍ତର ଆଲୋକପାତ କରିଥିଲେ। ଏହି ଅବସରରେ ଡିଆଇଜି ଏସ୍ଟିଏଫ୍, କୋରାପୁଟ ଓ କନ୍ଧମାଳ ଏସ୍ପି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ଦିବସରେ ସମ୍ମିଳନୀରେ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍.ମୁରଲୀଧର ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥିତ ରହି ପୁଲିସ୍ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ଭାବେ ମନୋନୀତ ହୋଇଥିବା ଡିଜିପି ସୁନୀଲ କୁମାର ବଂଶଲ ମଧ୍ୟ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ଉପସ୍ଥିତ ଥିଲେ। ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରୁ ଅତିରିକ୍ତ ଡିଜିପ ଡଃ ସୁଧାଂଶୁ ଷଡ଼ଙ୍ଗୀ, ସଞ୍ଜୀୀବ ପଣ୍ଡା,ଆର୍.କେ. ଶର୍ମା, ଆଇଜି ଅମିତାଭ ଠାକୁର, ଏସ୍.ପ୍ରବୀଣକୁମାର, ଆଇଜ, ନରସିଂହ ଭୋଳ, ଆଇଜ ପ୍ରମୁଖ ଉପସ୍ଥିତ ଥିଲେ।