ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା: ୬ ପୁଲିସ କର୍ମଚାରୀ ସସପେଣ୍ଡ

କଟକ,ଏନ୍ଏନ୍ଏସ୍: ଗତକାଲି କଟକରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣାରେ ସ୍ଥାନୀୟ ସହଯୋଗୀଙ୍କ ସମ୍ପୃକ୍ତି ରହିଥିବା ନେଇ ପୁଲିସ ସନ୍ଦେହ ପ୍ରକାଶ କରିଛି। ମେଡିକାଲରୁ ବାହାରିବାର ୧ ଘଣ୍ଟା ପରେ ହିଁ ପୁଲିସ ହାଇଦର ଫେରାର ହୋଇଥିବା ସମ୍ପର୍କରେ ସୂଚନା ପାଇଥିଲା ବୋଲି ଜଣାପଡିଛି।

ଜଣେ କୁଖ୍ୟାତ ଅପରାଧୀ ସମ୍ବଲପୁରର ବୁର୍ଲାରୁ କଟକ ବଡ ମେଡିକାଲରେ କେଉଁ ରୋଗର ଚିକିତ୍ସା ପାଇଁ ଆସିଥିଲା ତାହା ମଧ୍ୟ ଜଣାପଡ଼ିନାହିିଁ। ତେବେ ପ୍ରାଥମିକସ୍ତରରୁ ଜଣାପଡିଛି ଯେ ସେ ନିଜେ ହିଁ ଫେରାର ହେବାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଯାହାକୁ ତାର କିଛି କଟକ ସହଯୋଗୀଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି। ତେବେ ଏହାରି ଭିତରେ କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ହାଇଦର ତାକୁ ଧରିବା ପାଇଁ ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ କରାଯାଇଛି।

ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କେନ୍ଦ୍ରାଞ୍ଚଳ ରେଞ୍ଜ ଡିଆଇଜି ଜୟ ନାରାୟଣ ପଙ୍କଜ ଉପସ୍ଥିତ ଥିଲେ। ତେବେ ଏହି ବୌଠକରେ ପୁଲିସଙ୍କ ଏଭଳି ଦାୟିତ୍ୱହୀନତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୬ ଜଣ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି।

ବିଭାଗୀୟ ତଦନ୍ତ ପରେ ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ ନିଲମ୍ବିତ ହେବା ସହ ୫ କନେଷ୍ଟବଳ (ବୁଲବୁଲ୍ ସାହୁ, ଦୀପକ ସାହୁ ,ମହମ୍ମଦ ମୌସିମ୍‌, ଉମାକାନ୍ତ ବେହେରା ଓ ସୁଧାଂଶୁ ମାଝୀ) ନିଲମ୍ବିତ ହୋଇଛନ୍ତି ବୋଲି ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।