ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ୬ ଦଫା ଦାବିପତ୍ର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଓବିସି କମିଶନଙ୍କୁ ଏକ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଦେଶରେ ଅନେକ ଓବିସି ପରିବାର ବସବାସ କରୁଥିବାବେଳେ ତାଙ୍କ ପାଇଁ ବିଧିବଦ୍ଧ ଭାବେ କୌଣସି ସୁବିଧା ଉପଲବ୍ଧ କରାଯାଉ ନାହିଁ। ଫଳରେ ଯୋଗ୍ୟତା ଥିବା ସତ୍ୱେ ଓବିସି ଲୋକଙ୍କୁ ଶିକ୍ଷା, ନିଯୁକ୍ତି ତଥା ଅନ୍ୟାନ୍ୟ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ସରକାର ଓବିସିଙ୍କ ପାଇଁ ଶିକ୍ଷା, ନିଯୁକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ରିଜରଭେସନ ପ୍ରଦାନ କରିବା ସହ ଓବିସି ରିଜରଭେସନ ପ୍ରୋଟେକ୍ସନ ଆକ୍ଟ ପ୍ରଣୟନ କରନ୍ତୁ। ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ ଅନୁସାରେ କୃଷିଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରାଯାଉ। ଓବିସିଙ୍କୁ ଏସିବିସିଙ୍କଠାରୁ ଅଲଗା କରି ଅନୂନ୍ୟ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉ। ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରୁ ଆରମ୍ଭ କରି ଏମଏଲଏ, ଏମପି ପର୍ଯ୍ୟନ୍ତ ସମସ୍ତ ରାଜନୈତିକ କ୍ଷେତ୍ରରେ ଉଚ୍ଚ ନ୍ୟାୟପାଳିକାରେ ତଥା ରାଷ୍ଟ୍ରୀୟ ସମସ୍ତ ମୂଖ୍ୟସ୍ରୋତରେ ଓବିସିଙ୍କୁ ସମାନୁପାତିକ ଆରକ୍ଷଣ ଦିଆଯାଉ ବୋଲି ଓବିସି ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏହି ସମୟରେ ରାଧେଶ୍ୟାମ ପ୍ରଧାନ, ସଞ୍ଜୟ ପ୍ରଧାନ, ବୃନ୍ଦାବନ ମେହେର, ଗୁଣସାଗର ପ୍ରଧାନ, ଲରେନ୍ସ କୁମାର ପ୍ରଧାନ, ସାର୍ଥକ ସାହୁ, ପବିତ୍ର ବିଶି, ପ୍ରକାଶ ପ୍ରଧାନ ଓ ଜୟରାମ ବାରିକ ପ୍ରମୁଖଙ୍କ ସହ ଓବିସି ମଞ୍ଚର ସଦସ୍ୟମାନେ ଉପସ୍ଥିତ ଥିଲେ।