ଆସିଲା ପୂଜା ଗାଇଡଲାଇନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଏହି ଗାଇଡଲାଇନ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ପାଇଁ ଲାଗୁ ହେବ। କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି ପ୍ରଦାନ କରାଯାଇଛି। ମଣ୍ଡପ ଓ ପେଣ୍ଡାଲରେ ପୂଜା ପାଇଁ ଜିଲ୍ଲାରେ ଜିଲ୍ଲାପାଳ ଓ ଟୁଇନ ସିଟିରେ ସିପିଙ୍କ ଅନୁମତି ନେବାକୁ ପଡ଼ିବ। ଏଥର କେବଳ ପରମ୍ପରା ରକ୍ଷା ପାଇଁ ନିରଡ଼ାମ୍ବର ଭାବେ ପୂଜା କରାଯିବ। କୌଣସି ସାଜସଜ୍ଜା କରାଯାଇ ପାରିବନି। ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ କମ୍ ରହିବ। ମଣ୍ଡପର ୩ ପାର୍ଶ୍ୱ ବନ୍ଦ ରହିବ କେବଳ ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରହିବ। ଶ୍ରଦ୍ଧାଳୁଙ୍କୁ ପୂଜା ମଣ୍ଡପକୁ ଆସିବା ପାଇଁ ବାରଣ କରାଯାଇଛି। ମଣ୍ଡପରେ ଏକ ସମୟରେ ପୂଜକ, ଆୟୋଜକ ଓ କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ଏକାଠି ରହିପାରିବେ ନାହିଁ। ବିସର୍ଜନ ଶୋଭାଯାତ୍ର ହେବନି । ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେଲୋଡି ଓ ଭଜନ ସଂଧ୍ୟା ଭଳି କୌଣସି କାର୍ଯ୍ୟକ୍ରମ ମଧ୍ୟ ହୋଇପାରିବ ନାହିଁ। ପୂଜାରେ କୌଣସି ଗୋଷ୍ଠୀ ଭୋଜି ଭାତ କରିବାକୁ ମଧ୍ୟ ବାରଣ କରାଯାଇଛି। ଏଥିସହିତ ଗାଇଡଲାଇନ ଉଲ୍ଲଂଘନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।