ଆଜି ବଲାଙ୍ଗିରରେ ୬ କରୋନା ଆକ୍ରାନ୍ତ ଚିହ୍ନଟ, ୩ ଜଣଙ୍କ ହରିହର କ୍ୟାନସର ହସ୍ପିଟାଲ ସହ ଲିଙ୍କ ଥିବା ସୂଚନା

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରୁ ଆଜି ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟମାନଙ୍କ ମଧ୍ୟରେ ୩ ଜଣ ସହରର ଲାଲଟିକ୍ରା ଅଞ୍ଚଳର ହୋଇଥିବାବେଳେ ୨ ଜଣ ହାତୀଶାଲ ପଡ଼ାର ଓ ଜଣେ ରେଲୱେ ଷ୍ଟେସନ ଅଞ୍ଚଳର ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଲାଲଟିକ୍ରା ଅଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ମହିଳା (୪୨ ବର୍ଷ ଓ ୩୫ ବର୍ଷ) ଥିବାବେଳେ ଜଣେ ପୁରୁଷ(୩୩ ବର୍ଷ) ରହିଛନ୍ତି। ଏହି ୩ ଜଣ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସେମାନେ ଉକ୍ତ ହସ୍ପିଟାଲରୁ ଫେରିବା ପରେ ଜୁନ ୨୯ରୁ ହୋମ କ୍ୱାରେଣ୍ଟାଇନରେ ଥିଲେ।

ସେହିପରି କଣ୍ଟେନମେଣ୍ଟ ଜୋନ ହାତୀଶାଲ ପଡ଼ାରୁ ଚିହ୍ନଟ ହୋଇଥିବା ୨ଜଣଙ୍କ ମଧ୍ୟରେ ଜଣେ ୫୫ ବର୍ଷର ପୁରୁଷ ଓ ଜଣେ ୩୦ ବର୍ଷର ମହିଳା। ଏମାନେ ସ୍ଥାନୀୟ ସଂକ୍ରମଣ ବୋଲି ସୂଚନା ଦିଆଯାଇଛି। ରେଲୱେ ଷ୍ଟେସନ ନିକଟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣେ ୩୭ ବର୍ଷର ପୁରୁଷ ମଧ୍ୟପ୍ରଦେଶ ଫେରନ୍ତା। ଜୁନ ୨୪ରୁ ସେ ହୋମ କ୍ୱାରେଣ୍ଟାଇନରେ ଥିଲେ। ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୨ରେ ପହଞ୍ଚିଥିବା ବେଳେ ୫୭ କେସ ସକ୍ରିୟ ରହିଛି ଓ ୧୬୫ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।