ପୁଅକୁ ହତ୍ୟା କରି ବାପା ଠାରୁ ୬ଲକ୍ଷ ଲୁଟ, ଘଟଣାସ୍ଥଳରୁ ବନ୍ଧୁକ ଜବତ

ଭବାନୀପାଟଣା,ଏନ୍ଏନ୍ଏସ୍: ଜୁନାଗଡ଼ ଥାନାବୋରଗୁଡ଼ା ଜଙ୍ଗଲ ରାସ୍ତାରେ ଗତରାତିରେ କେତେକ ଦୁର୍ବୃତ୍ତ ବାପ ଓ ପୁଅଙ୍କ ଉପରକୁ ଆକ୍ରମଣ କରି ୬ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଅର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଗୁରୁବାର ବାପ ଓ ପୁଅ କପା ବିକ୍ରି କରି ରଖିଥିବା ଟଙ୍କାକୁ ଏଚ୍‍ଡିଏଫସି ବ୍ୟାଙ୍କରୁ ଉଠାଇ ବାଇକ୍ ଯୋଗେ ଗାଁକୁ ଫେରୁଥିଲେ। ଏହି ସମୟରେ ୩ଜଣ ଦୁର୍ବୃତ୍ତ ବାଇକରେ ସେମାନଙ୍କ ପିଛା କରିଥିଲେ।

ପରେ ବୋରଗୁଡ଼ା ଜଙ୍ଗଲ ରାସ୍ତାରେ କେହି ନଥିବା ଦେଖି ଦୁର୍ବୃତ୍ତମାନେ ବାପ ଓ ପୁଅଙ୍କ ଉପରକୁରଡ୍‌ରେ ଆକ୍ରମଣ କରିବାରୁ ସେମାନେ ବାଇକରୁ ଖସିପଡ଼ିଥିଲେ। ଏଥିସହ ସେମାନଙ୍କ ନିକଟରେ ଥିବା ଧାରୁଆ ଅସ୍ତ୍ର ଓ ବନ୍ଧୁକ ଦେଖାଇ ଭୟଭୀତ କରାଇ ସେମାନଙ୍କୁ ଟଙ୍କା ମାଗିଥିଲେ। ତେବେ ସେମାନେ ଏଥିରେ ରାଜି ନ ହେବାରୁ ଦୁର୍ବୃତ୍ତମାନେ ଲୁହାଛଡ଼ରେ ପୁଅକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ପୁଅ ଗୁରୁତର ହୋଇଯାଇଥିଲେ। ପରେ ବାପା ଭୟରେ ଟଙ୍କା  ଦୁର୍ବୃତ୍ତମାନଙ୍କୁ ଦେଇଦେଇଥିଲେ। ପରେ ଦୁର୍ବୃତ୍ତମାନେ ବାଇକରେ ଶୋରିସମାଲ ଗାଁ’ ଆଡ଼କୁ ଚାଲିଯାଇଥିଲେ।

ସେଠାରୁ ପୁଅକୁ ଗୁରୁତର ଅବସ୍ଥାରେ ପ୍ରଥମେ ଜୁନାଗଡ଼ ପ୍ରାଥମିକ ଚିକିତ୍ସାଳୟ ଓ ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ଜଣଙ୍କ ହେଉଛି ବରଗୁଡ଼ା ଗାଁ’ର ବଳଭଦ୍ର ନାଏକ। ପରେ ବାପା କ୍ଷିତ ନାଏକ ଏ ସମ୍ପର୍କରେ ଜୁନାଗଡ଼ ଥାନାରେ ଅଭିଯୋଗ ଦାଖଲ କରିବାରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହି ସମୟରେ ଘଟଣାସ୍ଥଳରୁ ଦେଶୀ ବନ୍ଧୁକ ଜବତ ହୋଇଥିବା ଜଣାପଡ଼ିଛି।