୬ ଦଫା ଦାବିରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ତାଲା ବନ୍ଦ ଆନ୍ଦୋଳନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ୬ ଦଫା ଦାବି ନେଇ ଆଜି କଂଗ୍ରେସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୬ ଘଣ୍ଟିଆ ତାଲା ବନ୍ଦ ଅନ୍ଦୋଳନ କରାଯାଇଛି। ଝାରସୁଗୁଡ଼ା ପ୍ରସନ୍ନ ପଣ୍ଡାଛକ, ଟାଉନ, ବେଲପାହାଡ଼ ମହିମା ଛକ, ଫାଟକ, ଗାନ୍ଧି ଛକ, ବ୍ରଜରାଜନଗର, ଲଖନପୁର, କୋଲାବିରା, କିର୍ମିରା, ଲଇକେରା, ବନ୍ଧବାହାଲ ଆଦି ସମସ୍ତ ସ୍ଥାନରେ କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ଏନଏଚ ଅବରୋଧ କରି ଯାନବାହାନ ଚଳାଚଳ ବନ୍ଦ କରିବା ସହ ଦୋକାନ ବଜାର, ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନକୁ ବନ୍ଦ କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଦେଶ ଓ ରାଜ୍ୟରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାର ଯଥାଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରିବା ସହ ନୂତନ କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଭରତ ଅବସ୍ତି, ମହେନ୍ଦ୍ର ନାୟକ, ଗୁଡ୍ଡୁ ଦାସ, ସତ୍ୟ ପ୍ରକାଶ ମହାନ୍ତି, ଭାସ୍କର ପ୍ରଧାନ, ବୁଲୁ ପଣ୍ଡା, ପର୍ଶୁରାମ ବୁଦଲା, ତାହିର ଖାନ, ହେମସାଗର ପଟ୍ଟନାୟକ, ପ୍ରଦୀପ ବେହେରା ଓ ଟୁଲୁ ମେହାର ପ୍ରମୁଖଙ୍କ ସହ କଂଗ୍ରେସକର୍ମୀମାନେ ଉପସ୍ଥିତ ଥିଲେ।