୬ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ବୈପାରିଗୁଡ଼ା,ଏନ୍ଏନ୍ଏସ୍: ଜିଲ୍ଲା ଅବକାରୀ ବିଭାଗ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ବୈପାରିଗୁଡ଼ା ଥାନା ଜି.ମାଝିଗୁଡ଼ା ଅଞ୍ଚଳରେ ଗଞ୍ଜେଇ ଗଛ ପୋଡ଼ାଯାଇଛି। କୋରାପୁଟ ଜିଲ୍ଲାରେ ବ୍ୟାପକ ପରିମାଣର ଗଞ୍ଜେଇ ଚାଷ କରାଯାଉଥିବାବେଳେ ପ୍ରତିଦିନ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ ସମୟରେ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ହେଉଥିବାରୁ ଏସପି ବରୁଣ ଗୁଂଟୁପାଲ୍ଲି ଓ ଅବକାରୀ ଅଧୀକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଗ୍ରୀନ୍ କ୍ଲିନ୍ ଅଭିଯାନ ଆରମ୍ଭ କରିଛି। ଜୟପୁର ଏସଡିପିଓ ଅନୁପ ଅଭିଷେକ ବେହେରା, ଜୟପୁର ଅବକାରୀ ନିରୀକ୍ଷକ ବିମ୍ବାଧର ପଣ୍ଡା, ବୈପାରିଗୁଡ଼ା ଥାନାଧିକାରୀ ରଘୁନାଥ ମାଝୀଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ବୈପାରିଗୁଡ଼ା ତହସିଲଦାର ଳୈଳାଶ ଚନ୍ଦ୍ର ତ୍ରିପାଠୀଙ୍କ ଉପସ୍ଥିତିରେ ତୋଟାପଡ଼ା, ମହୁଲପୁଟ, ଭଲଦାନି, ଜିମାଜିଗୁଡ଼ା ଓ ଜାମେଯାଡ଼ି ଗାଁରେ ଚଢ଼ଉ କରି ପ୍ରାୟ ୫୦ ଏକର ଜମିର ୬୦ ହଜାର ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରିଥିବା ସୂଚନା ମିଳିଛି। ପୋଡ଼ା ଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୬ କୋଟି ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି। ଗ୍ରୀନ୍ କ୍ଲିନ୍ ଅଭିଯାନରେ ଜିଲ୍ଲା ପୁଲିସର ଏପିଆର୍ ଓ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ।