୮ ସିଟ୍ ବିଶିଷ୍ଟ ଗାଡ଼ିରେ ୬ ଏୟାର୍‌ବ୍ୟାଗ୍ ଅନିବାର୍ଯ୍ୟ

ନୂଆଦିଲ୍ଲୀ,ଏଜେନ୍ସି: ସରକାର ଏୟାର୍‌ବ୍ୟାଗ୍‌କୁ ନେଇ ଆଜି ବଡ଼ ଘୋଷଣା କରିଛନ୍ତି। ସମସ୍ତ ପ୍ରକାରର ୮ ସିଟ୍ ବିଶିଷ୍ଟ ଯାତ୍ରିବାହୀ ଯାନରେ ୬ ଏୟାର୍‌ବ୍ୟାଗ୍ ଅନିବାର୍ଯ୍ୟ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀୟେ ଆଜି ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି କୌଣସି ପ୍ରକାରର ଦୁର୍ଘଟଣା କ୍ଷେତ୍ରରେ ଯାତ୍ରୀଙ୍କୁ ଅଧିକ ସୁରକ୍ଷିତ ରଖିବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ଅର୍ଥାତ୍ ୧ ଜୁଲାଇ ୨୦୧୯ ପରଠାରୁ ମନ୍ତ୍ରଣାଳୟ ଡ୍ରାଇଭର୍ ଏୟାର୍‌ବ୍ୟାଗ୍ ଓ ୧ ଜାନୁଆରୀ ୨୦୨୨ ପରଠାରୁ ଆଗ ସିଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏୟାର୍‌ବ୍ୟାଗ୍‌କୁ ବାଧ୍ୟତାମୂଳକ କରିଥିଲା। ବାହାନର ଆଗ ଓ ପଛ ଉଭୟ କମ୍ପାର୍ଟମେଣ୍ଟରେ ବସିଥିବା ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏୟାର୍‌ବ୍ୟାଗ୍ ବ୍ୟବସ୍ଥା ସମସ୍ତ ପ୍ରକାର ବ୍ରାଣ୍ଡ୍ ଗାଡ଼ିରେ ଉପଲବ୍‌ଧ ରଖିବାକୁ କେନ୍ଦ୍ରମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।