ସପାରେ ସାମିଲ୍ ହେଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତରପ୍ରଦେଶରେ ଅଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ ସରକାରଙ୍କୁ ଝଟ୍‌କା ପରେ ଝଟ୍‌କା ଲାଗିବା ଆରମ୍ଭ ହୋଇଛି। ରାଜ୍ୟର ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ଆରମ୍ଭ ହୋଇଛି ନେତାଙ୍କର ଦଳଡିଆଁ। ଗତ ୧୨ ତାରିଖରେ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ କ୍ୟାବିନେଟ୍ ସହଯୋଗୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିଜ ସମର୍ଥକ ଓ ସମର୍ଥିତ ୪ ବିଧାୟକଙ୍କ ସହିତ ବିଜେପିରୁ ଇସ୍ତଫା ଦେଇଥିଲେ।

ଆଜି ମୌର୍ଯ୍ୟ ଅଖିଳେଶଙ୍କ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ଦଳରେ ଯୋଗ ଦେବା ଅବସରରେ ସେ ଅଖିଳେଶଙ୍କ ସହିତ ଏକ ମଞ୍ଚରୁ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ୨୦୧୭ ପୂର୍ବରୁ ତାଙ୍କୁ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ଭରସା ଦେଇ ପରେ ଧୋକା ଦେଇଥିଲା ବୋଲି ସେ କହିଥିଲେ। ପୂର୍ବରୁ ସେ ମକର ସଂକ୍ରାନ୍ତି ଅବସରରେ ବିଜେପି ଅନ୍ତର ଇତିହାସ ଲେଖିବାକୁ ଯାଉଛନ୍ତି ବୋଲି ଧମକ୍ ଦେଇଥିଲେ। ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଉଦାହରଣ ଦେଇ ସେ କହିଛନ୍ତି ଯେ ମୁଁ ଯେଉଁ ଦଳ ପରିତ୍ୟାଗ କରିଥାଏ, ସେ ଦଳର ସତ୍ତା ରହିନଥାଏ।