ଆହାର କେନ୍ଦ୍ରରେ ଖାଇଲେ ଓ ବିଦ୍ୟାଳୟ ବୁଲିଲେ ୫ଟି ସଚିବ ଭି କେ ପାଣ୍ଡିଆନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ୫ଟି ସଚିବ ଭି.କେ ପାଣ୍ଡିଆନ ନବରଙ୍ଗପୁର ଜିଲ୍ଲା ଗସ୍ତର ୨ୟ ଦିନରେ ଆହାର କେନ୍ଦ୍ରରେ ଖାଇବା ସହ ବିଦ୍ୟାଳୟରେ ବୁଲି ସ୍ଥିତି ପରଖିଛନ୍ତି । ଜଟାବାଲ ଆଶ୍ରମ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଛନ୍ତି । ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶି ଆଲୋଚନା ମଧ୍ୟ କରିଛନ୍ତି । ଝରିଗାଁର ସତୀଘାଟ ପ୍ରକଳ୍ପର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି । ପୂଜାରିଗୁଡ଼ା ସିଏଚସି ବୁଲି ଦେଖିବା ସହ ମେଡିକାଲ ଅଫିସର ଡା. ଅଭୟ କୁମାର ଦେଓଙ୍କ ସେବା କାର୍ଯ୍ୟକୁ ୫ଟି ସଚିବ ଉଚ୍ଚ ପ୍ରଶଂସା କରିଛନ୍ତି। ରୋଗୀଙ୍କ ସହ କଥା ହେବାସହ ଶୈବପୀଠ ମାଣ୍ଡାଡଙ୍ଗରି ଓ ସ୍ୱୟଂ ସହାୟିକା ଗୋଷ୍ଠୀ ସହ ମଧ୍ୟ ଆଲୋଚନା କରିଛନ୍ତି । ପାଣ୍ଡିଆନଙ୍କ ସହ ଏହି ସମୟରେ ସଚିବ ଭିନିଲ କ୍ରୀଷ୍ଣା ଓ ରୂପା ରୋସନ ସାହୁ ମଧ୍ୟ ଉପସ୍ଥିତ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର, ଏସପି ଏସ.ସୁଶ୍ରୀ, ଜିଲ୍ଲା ପରିଷଦ ସିଡିଓ ଅନ୍ୟା ଦାସ ଓ ସିଡିଏମଓ ଡା. କାଳି ପ୍ରସାଦ ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଶନିବାର ଜିଲ୍ଲାର ଉମରକୋଟ ଓ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି । ଭିଜନ ନବରଙ୍ଗପୁର, ସରପଞ୍ଚ ସଂଘ କର୍ମକର୍ତ୍ତାଙ୍କ ସହ ଜିଲ୍ଲାର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।