୫ଟି ସଚିବଙ୍କ ୨ ଦିନିଆ କନ୍ଧମାଳ ଗସ୍ତ, ଜିଲ୍ଲାରେ ହେବ୧୮ଟି ସେତୁର ନିର୍ମାଣ

କନ୍ଧମାଳ,ଫୁଲବାଣୀ,ଏନ୍‌ଏନ୍‌ଏସ୍‌: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗତ ଜୁନ୍ ୧୬ ତାରିଖରେ ୫ଟି ସଚିବ ଭି କେ ପାଣ୍ଡିଆନ କନ୍ଧମାଳ ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଆସି ସମୁଦାୟ ୨୩ଟି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କଠାରୁ ଅଭିଯୋଗ ଗ୍ରହଣ କରିବା ସହିତ ଜିଲ୍ଲାରେ ଥିବା ସମସ୍ୟାଗୁଡ଼ିକୁ ଖୁବଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ସେହି ଆଧରରେ ବଲସକୁମ୍ପାସ୍ଥିତ ବରାଳ ଦେବୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ସହିତ ଏହାର ଆଖପାଖ ବିକାଶ ତଥା ଆନୁସଙ୍ଗିକ କାର୍ଯ୍ୟ ପାଇଁ ପ୍ରଶାସନିକ ଅନୁମୋଦନ ହୋଇସାରିଛି । ଏଥିପାଇଁ ମୁଖ୍ୟଯନ୍ତ୍ରୀ(କୋଠାବାଡ଼ି), ଓଡ଼ିଶା, ଭୁବନେଶ୍ୱର ୨ କୋଟି ୯୯ ଲକ୍ଷ ୩ ହଜାର ଟଙ୍କାର ବ୍ୟୟ ଅଟକଳ କରିଛନ୍ତି । ସେହିପରି ଫୁଲବାଣୀସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ଆଖପାଖ ଓ ଚତୁଃପାଶ୍ୱର୍ରେ ଥିବା ସର୍ବସାଧାରଣ ଶୌଚାଳୟ, ମଣ୍ଡପ, ଫାଟକ ଓ ରାସ୍ତା ଆଦିର ଉନ୍ନତିକରଣ ନିମନ୍ତେ ରାଜ୍ୟପାଳ ପ୍ରଶାସନିକ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ୨କୋଟି ୨୦ଲକ୍ଷ ୨୧ହଜାର ଟଙ୍କା ମଞ୍ଜୁର କରିଛନ୍ତି । ସେହିପରି ବାଲିଗୁଡ଼ାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ନବୀକରଣ କାର୍ଯ୍ୟ ନିମନ୍ତେ ମଧ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ୨କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ବାଲିଗୁଡ଼ାସ୍ଥିତ ପାଟଖଣ୍ଡା ମନ୍ଦିରର ମରାମତି ତଥା ନବୀକରଣ କାର୍ଯ୍ୟ ପାଇଁ ଓଡ଼ିଶା ସରକାରଙ୍କର ଯୋଜନା ଏବଂ ସମନ୍ୱୟ ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା -୩୨ତମ ପର୍ଯ୍ୟାୟରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଷ୍ଟେଟ୍ ପ୍ଲାନ୍ ସ୍କିମରେ କସମ ପାଇଁ ରିଭଲଭିଙ୍ଗ ପାଣ୍ଠି ପ୍ରଦାନ କରିଛନ୍ତି । ଏହି ପାଣ୍ଠିରୁ ହଳଦୀ ଓ ମସଲାର ବିକାଶ ପାଇଁ ମଧ୍ୟ ୨ କୋଟି ଟଙ୍କା ମଞ୍ଜୁର ହୋଇଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନର ଗନ୍ତବ୍ୟସ୍ଥଳର ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ସମୁଦାୟ ୬ କୋଟି ୪୮ ଲକ୍ଷ ୨ହଜାର ଟଙ୍କା ମଞ୍ଜୁର କରିଛନ୍ତି । ସେଥିମଧ୍ୟରୁ ପୁତୁଡ଼ି ଜଳପ୍ରପାତ ପାଇଁ ୪୫ଲକ୍ଷ ୧ହଜାର ଟଙ୍କା, ଉର୍ମାଗଡ଼ ଜଳପ୍ରପାତ ପାଇଁ ୫୨ଲକ୍ଷ ୨୧ହଜାର ଟଙ୍କା, ଘୁ. ଉଦୟଗିରି ପାଇଁ ୬୬ ଲକ୍ଷ ଟଙ୍କା, କାଟ୍ରାମାଲ ଜଳପ୍ରପାତ ପାଇଁ ୫୭ଲକ୍ଷ ୬୦ହଜାର ଟଙ୍କା, ରତଙ୍ଗ ପୋଖରୀ ପାଇଁ ୧୨ଲକ୍ଷ ଟଙ୍କା, ପକଡ଼ାଝର ଜଳପ୍ରପାତ ପାଇଁ ୭୮ଲକ୍ଷ ଟଙ୍କା, ଦୁଲିରି ପିକନିକ୍ ସ୍ପଟ୍ ପାଇଁ ୮୫ ଲକ୍ଷ ୨୦ହଜାର ଟଙ୍କା, ରିଷିିମାଳା ଟୁରିଷ୍ଟ ସ୍ପଟ୍ ପାଇଁ ୭୮ଲକ୍ଷ ଟଙ୍କା, ଲୁଦୁ ଜଳପ୍ରପାତ ପାଇଁ ୬୦ ଲକ୍ଷ ଟଙ୍କା, ଦାରୁବାଡ଼ି ଜଳପ୍ରପାତ ପାଇଁ ୫୨ଲକ୍ଷ ୮୦ହଜାର ଟଙ୍କା ଓ ସର୍ପନଳା ଜଳପ୍ରପାତ ପାଇଁ ୬୧ଲକ୍ଷ ୨୦ହଜାର ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି । ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ବିଜୁ ସେତୁ ଯୋଜନାରେ ସମଗ୍ର ଓଡ଼ିଶାରେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ସମୁଦାୟ ୬୮ଟି ସେତୁ ନିର୍ମାଣ ପାଇଁ ଅନୁମୋଦିତ ହୋଇଥିବାବେଳେ କେବଳ କନ୍ଧମାଳ ଜିଲ୍ଲାରେ ୧୮ଟି ସେତୁ ନିର୍ମାଣ କରାଯିବ । ଡିପିଆର୍ ପ୍ରସ୍ତୁତ ପୂର୍ବରୁ ସର୍ଭେ କାର୍ଯ୍ୟ ଚାଲୁ ରହିଛି ବୋଲି ଜଣାପଡ଼ିଛି । ଓଡ଼ିଶା ସରକାରଙ୍କର ପଞ୍ଚାୟତିରାଜ, ପାନୀୟ ଜଳ ଓ ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଜିଲ୍ଲାର୧୭ଟି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଛି । ସେଥିମଧ୍ୟରେ ଜାତୀୟ ରାଜପଥ ରାସ୍ତା ମହାସିଙ୍ଗି ଛକରୁ ପାଟାମାହା ଛକ, ଆରଡି ରୋଡ ଗୋଚ୍ଛାପଡ଼ା ଛକରୁ ବାଲିଗୁଡା, ପିଡବ୍ଲ୍ୟୁଡି. ରୋଡ଼ ମରବାଲିରୁ ମଗଡ଼ିଙ୍ଗିଆ, ଚାଞ୍ଝେଡ଼ି ରୁପାବୁରିଆ, ଜୁବାଗୁଡ଼ାରୁ ରାୟଗଡ଼ା ସୀମା, ସରଡ଼ାମାହାରୁ ଗାର୍ଡିଙ୍ଗିଆ, ପଡ଼ାଙ୍ଗିରୁ କାଲୁଙ୍ଗିଆ, ବୋର୍ଲାଗୁଡ଼ାରୁ ପକାରି, ପିଡବ୍ଲ୍ୟୁଡି. ରୋଡ୍ ମଣ୍ଡାକିଆରୁ ମହୁପାଙ୍ଗା, ଆରଡି ରୋଡ , ପର୍ତାମାହାରୁ ମଜାଙ୍ଗପଲା, ଦାରିଙ୍ଗିିବାଡ଼ି ରାଧାକ୍ରିଷ୍ଣା ମନ୍ଦିରରୁ ବାଲିପଦର, ଆର୍ଡିଗାରୁରୁ ସାଇଟିଙ୍ଗିଆ, କ୍ରାର୍ଣ୍ଡିବାଲିରୁ କାଡିସରୁ, କୁଣ୍ଡାରୁ ଖଜୁରୀପଡ଼ା, ଗୁମାଗଡରୁ ଅମାତପଡ଼ା, କେରେଡିରୁ ପଥରକେନାଲ, ଆରଡି ରୋଡ ଓ ନୂଆପଦରରୁ ମାଟିଙ୍ଗଲା ରହିଛି । ଏହି ରାସ୍ତାଗୁଡ଼ିକ ମଧ୍ୟରୁ ଫୁଲବାଣୀ ଡିଭିଜନର ୪ଟି ଓ ବାଲିଗୁଡ଼ା ଡିଭିଜନର ୨ଟି ରାସ୍ତାର ଡିପିଆର୍ ପ୍ରସ୍ତୁତ ହୋଇଯାଇଛି ଏବଂ କାମ ସମୟ ସୀମା ମଧ୍ୟରେ ଆରମ୍ଭ ହୋଇଯିବ ବୋଲି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି ।