ଠିକ୍ ସମୟରେ ଶେଷ ହେଲାନି ୫ଟି ସ୍କୁଲ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ମୁଖ୍ୟମନ୍ତ୍ରୀ ସବୁବେଳେ ୫ଟିକୁ ଗୁରୁତ୍ୱ ଦେଇ ଆସୁଥିବାବେଳେ ସରକାରୀ ସ୍ତରରେ କିନ୍ତୁ ଓଲଟା ପରିଣାମ ଦେଖିବାକୁ ମିଳୁଛି । ମୋଟାମୋଟି ଭାବେ ୫ଟିକୁ କିଛି ସରକାରୀ ବାବୁ ବେଖାତିର କରିଛନ୍ତି । ଜିଲ୍ଲାରେ ୫ଟି ରୂପାନ୍ତରିତ ସ୍କୁଲ ଆଜି ଲୋକାର୍ପିତ ହୋଇଛି । କିନ୍ତୁ ଅର୍ଦ୍ଧ ସମ୍ପୂର୍ଣ ସ୍କୁଲକୁ ସମ୍ପୂର୍ଣ ଦେଖାଇ ଲୋକାର୍ପିତ କରାଯାଇଛି । ଏଭଳି ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଶିନ୍ଧିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ୪୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେବଳ ଭିତର କାର୍ଯ୍ୟ ଶେଷ ହୋଇଛି । ବାହାର କାର୍ଯ୍ୟ ଶେଷ ହୋଇନାହିଁ । ଇ-ଲାଇବ୍ରେରୀ ରୁମ ଅଛି କିନ୍ତୁ ବହି ନାହିଁ । କମ୍ପ୍ୟୁଟର ଶିକ୍ଷା ପାଇଁ ଲ୍ୟାବ ଅଛି କିନ୍ତୁ କମ୍ପ୍ୟୁଟର ନାହିଁ । ଶୌଚାଳୟ ନିର୍ମାଣ ସରିନି । ପ୍ରାଚୀର ନିର୍ମାଣ ଶେଷ ହୋଇନି କି ଅତ୍ୟାଧୁନିକ ଗେଟ ମଧ୍ୟ ତିଆରି ହୋଇନି । ପ୍ଲାଷ୍ଟର ସଙ୍ଗେ ସଙ୍ଗେ ରଙ୍ଗ ଦିଆଯାଉଛି । କାମର ସ୍ଥାୟିତ୍ୱ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । କିନ୍ତୁ ଲୋକାର୍ପିତ ତାଲିକାରେ ସିନ୍ଧିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ନାମ ରହିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ଶେଷ ହୋଇନଥିବାରୁ ଟିମୱାର୍କ ଫେଲ୍ ମାରିଥିବା ନେଇ ଚର୍ଚ୍ଚା ହେଉଛି । ଏସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନୀଳାମ୍ବର ମୁଦୁଲିଙ୍କୁ ପଚାରିବାରୁ ଭିତର କାମ ସରିଛି ବାହାର କାମ ରହିଯାଇଛି, ଗେଟ ଓ ସୌନ୍ଦର୍ଯ୍ୟକରଣ ହୋଇ ନଥିବା କହିଛନ୍ତି । ବିଭାଗୀୟ ଯନ୍ତ୍ରୀ ଶ୍ରୀ ଦାସଙ୍କୁ ପଚାରିବାରୁ ବିରକ୍ତି ପ୍ରକାଶ କରିବା ସହ ମୋତେ ପଚାରିଲେ ମୁଁ କଣ କହିବି ମୁଁ କଣ ଉଦଘାଟନ କରୁଛି କି ମୋତେ ପଚାରୁଛନ୍ତି ବୋଲି କହିଥିଲେ । ଅଧିକ ଜାଣିବା ପାଇଁ ନନ୍ଦାହାଣ୍ଡି ବ୍ଲକ ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସୌନ୍ଦର୍ଯ୍ୟକରଣ ଓ ଗେଟ କାର୍ଯ୍ୟ ଶୀଘ୍ର ଶେଷ କରାଯିବ ବୋଲି କହିଛନ୍ତି ।