ଆବଣ୍ଟିତ ହେଲା ୫ଜି ସ୍ପେକ୍ଟ୍ରମ୍

ନୂଆଦିଲ୍ଲୀ,ଏଜେନ୍ସି: ଖୁବ୍ ଶୀଘ୍ର ମିଳିବ ୫ଜି ସେବା। ଏଥିପାଇଁ ନିଲାମ ହୋଇଥିବା ୫ଜି ସ୍ପେକ୍ଟ୍ରମକୁ ଦୂରସଞ୍ଚାର ବିଭାଗ (ଡିଓଟି) ନିଲାମରେ ଅଂଶଗ୍ରହଣ କରିଥିବା ଦେଶର ତିନି ବୃହତ୍ ଟେଲିକମ୍ କମ୍ପାନୀ ଯଥାକ୍ରମେ ଭାରତୀ ଏୟାରଟେଲ୍‌, ଜିଓ ଓ ଭୋଡାଫୋନ୍‌-ଆଇଡିଆକୁ ଆବଣ୍ଟନ କରିଛି। ଫଳରେ ଖୁବ୍‌ଶୀଘ୍ର ଦେଶରେ ୫ଜି ସେବାର ଟ୍ରାଏଲ୍ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ୬ମାସ ପାଇଁ ୭୦୦ ମୋଗାହର୍ସ, ୩.୫ ଗିଗାହର୍ସ ଓ ୨୬ ଗିଗାହର୍ସ ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ୍ ଆବଣ୍ଟନ କରାଯାଇଛି ବୋଲି ସୂଚନା ମିଳିଛି।

ଟେଲିକମ୍ କମ୍ପାନୀମାନେ ସହରୀ କ୍ଷେତ୍ର ସହିତ ଗ୍ରାମୀଣ କ୍ଷେତ୍ରରେ ମଧ୍ୟ ୫ଜି ସେବାର ପରୀକ୍ଷା କରିବେ। ଫଳରେ ୫ଜି ସେବା କେବଳ ସହରୀ କ୍ଷେତ୍ରରେ ସୀମିତ ନରହି ଗ୍ରାମାଞ୍ଚଳରେ ମଧ୍ୟ ଉପଲବ୍ଧ ହେବ। ଏୟାର୍‌ଟେଲ୍ ଓ ଜିଓ ପାଇଁ ଏହି ସ୍ପେକ୍ଟ୍ରମ୍ ଖୁବ ମହତ୍ୱପୂର୍ଣ୍ଣ। ଉଭୟଙ୍କ ନିକଟରେ ୫ଜିର ରେଡି ନେଟ୍‌ୱର୍କ ରହିଛି। ସ୍ପେକ୍ଟ୍ରମ୍ ଆବଣ୍ଟନ ପରେ ଉଭୟ ଖୁବ୍‌ଶୀଘ୍ର ୫ଜି ସେବା ଦେଶରେ ଉପଲବ୍ଧ କରାଇପାରିବେ। ସୂଚନାଯୋଗ୍ୟ ଯେ ୨୦୨୧ର ମଧ୍ୟଭାଗ ସୁଦ୍ଧା ୫ଜି ସେବା ଜିଓ ଉପଲବ୍ଧ କରାଇବ ବୋଲି ରିଲାଏନ୍ସର ମୁଖ୍ୟ ମୁକେଶ ଅମ୍ବାନୀ କହିଥିଲେ। ଜିଓ ଆମେରିକାରେ ୫ଜିର ସଫଳ ଟେଷ୍ଟିଂ କରିସାରିଛି। ସୂତ୍ର ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ହାଇଦ୍ରାବାଦ ଆଦି ସହରରେ ୫ଜି ପରୀକ୍ଷଣ କରାଯିବ।