ଏନ୍‌ଟିପିସିର କୋଭିଡ୍ ସହାୟତା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହରରେ ଏନ୍‌ଟିପିସି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସହିତ ମହାମାରୀ ରୋକିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛି। ଦେଶରେ ଅକ୍ସିଜେନ୍ ଶଯ୍ୟାର ଅଭାବ ଦେଖାଦେଇଥିବା ବେଳେ ଏନ୍‌ଟିପିସି ଦ୍ୱାରା ସପ୍ତାହକ ଭିତରେ ସାଧାରଣ ଲୋକମାନଙ୍କ ପାଇଁ ୬୦୦ ଅକ୍ସିଜେନ୍ ଶଯ୍ୟା ଓ ୧୨୦୦ ସଙ୍ଗରୋଧ ଶଯ୍ୟାର ବ୍ୟବସ୍ଥା କରାଯାଇଛି।

ଜିଲ୍ଲା ଓ ରାଜ୍ୟ ପ୍ରଶାସନ ସହଯୋଗରେ କମ୍ପାନୀ ତରଫରୁ ଅପହଞ୍ଚ ଅଞ୍ଚଳରେ ମେଡିକାଲ୍ ସେବାରେ ଉନ୍ନତି ଅଣାଯାଇଛି। କମ୍ପାନୀ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼ରେ ୪୦୦ କୋଟି ଟଙ୍କା ବିନିଯୋଗରେ ଏକ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ର ବ୍ୟବସ୍ଥା କରାଯାଇଛି। ରେକର୍ଡ ସମୟ ଭିତରେ ଏହି କୋଭିଡ୍ ହସ୍ପିଟାଲ୍‌ର ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବାରୁ ଏହି ଅଞ୍ଚଳର ଲକ୍ଷାଧିକ ଲୋକ ଉପକୃତ ହୋଇଛନ୍ତି। ବିଭିନ୍ନ ମେଡିକାଲ୍ ଉପକରଣ ପ୍ରଦାନ କରିବା ବ୍ୟତୀତ ଏନ୍‌ଟିପିସି ପକ୍ଷରୁ ୨୦ଟି ଭେଣ୍ଟିଲେଟର୍ ପ୍ରଦାନ କରାଯାଇଥିଲା ଯାହା ଗୁରୁତର ରୋଗୀଙ୍କ ଚିକିତ୍ସାରେ ବିଶେଷ ସହାୟକ ହୋଇଛି।

ଗୁରୁତ୍ୱପୂର୍ଣ୍ଣ ଚିକିତ୍ସାର ଆବଶ୍ୟକତାକୁ ନଜରରେ ରଖି ଏନ୍‌ଟିପିସି ତରଫରୁ ଏହି ହସ୍ପିଟାଲ୍‌କୁ ଅତିରିକ୍ତ ୪୦ଟି ଭେଣ୍ଟିଲେଟର୍ ପ୍ରଦାନ କରାଯାଇଛି। ଏନ୍‌ଟିପିସି ଦର୍ଲିପାଲି ତରଫରୁ ଝାରସୁଗୁଡ଼ାରେ ୩୦ ଆଇସିୟୁ ଶଯ୍ୟା ସ୍ଥାପନ କରିବା ଲାଗି ମଧ୍ୟ ସହାୟତା ପ୍ରଦାନ କରାଯାଇଛି।