ନୂଆଦିଲ୍ଲୀ, ଏଜେନ୍ସି: ଭାରତ ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଶୁଭାରମ୍ଭ କରିବ। ଡିଜିଟାଲ ସଂଯୋଗୀକରଣ, କ୍ଲାଉଡ କମ୍ପ୍ୟୁଟିଙ୍ଗ୍, ଇଣ୍ଟରନେଟ ଅଫ୍ ଥିଙ୍ଗସ, ସ୍ମାର୍ଟ ଡିଭାଇସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ସ ଭଳି ଡିଜିଟାଲ ପ୍ରଯୁକ୍ତି ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଆଧାର ହେବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଦୃଢ ଆଶା ପୋଷଣ କରିଛନ୍ତି। ଗୁରୁବାର ଆୟୋଜିତ ‘ଡିଜିଟାଲ ଟ୍ରାନ୍ସଫର୍ମେସନ୍ ୱାର୍ଲଡ ସିରିଜି-୨୦୨୦’ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀ ଅମ୍ବାନୀ କହିଛନ୍ତି ଯେ, ଭାରତ ଡିଜିଟାଲ କ୍ଷେତ୍ରରେ ନେତୃତ୍ୱ ନେବାକୁ ହେଲେ ଅଲ୍ଟ୍ରା ହାଇସ୍ପିଡ କନେକ୍ଟିଭିଟି, ସୁଲଭ ସ୍ମାର୍ଟ ଡିଭାଇସ ଏବଂ ଉନ୍ନତ ଡିଜିଟାଲ ଆପ୍ଲିକେସନ ତଥା ସଲ୍ୟୁସନ ଉପରେ ଧ୍ୟାନ ଦେବାକୁ ପଡିବ। ଜିଓର ପ୍ରଶଂସା କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ ଆସିବା ପୂର୍ବରୁ ଭାରତ ପ୍ରାୟତଃ ୨ଜିରେ ସୀମିତ ରହିଥିଲା। ଜିଓ ଜରିଆରେ ଦେଶକୁ ପ୍ରଥମ ଥର ପାଇଁ ଆଇପିଭିତ୍ତିିକ ନେଟୱର୍କ କନେକ୍ଟିଭିଟି ମିଳିଲା। ଦେଶରେ ୨ଜି ସେବା ପ୍ରଚଳନ କରିବାକୁ ଅବଶିଷ୍ଟ କମ୍ପାନୀଗୁଡିକ ୨୫ବର୍ଷ ସମୟ ନେଇଥିବାବେଳେ ଜିଓ ମାତ୍ର ୩ବର୍ଷ ମଧ୍ୟରେ ଭାରତରେ ୪ଜି ନେଟୱର୍କ କାର୍ଯ୍ୟକାରୀ କଲା। ସୁଲଭ ମୂଲ୍ୟର ଡିଭାଇସ କ୍ଷେତ୍ରରେ ମଧ୍ୟ ଭାରତ ବହୁ ପଛରେ ପଡିଥିଲା। ସ୍ମାର୍ଟଫୋନ ମହଙ୍ଗା ଥିଲା ଏବଂ ଫିଚରଫୋନଗୁଡିକ ୪ଜି ପ୍ରଯୁକ୍ତିରେ କାମ କରୁନଥିଲା। ଜିଓ ଇଞ୍ଜିନିୟରମାନେ ଯଥେଷ୍ଟ ଉଦ୍ୟମ କରି ଭାରତର ଅତ୍ୟନ୍ତ ସୁଲଭ ମୂଲ୍ୟର ୪ଜି ଡିଭାଇସ ଜିଓଫୋନ ପ୍ରସ୍ତୁତ କଲେ। ଜିଓଫୋନର ସାମର୍ଥ୍ୟ ଉପରେ ଭରସା କରି ଜିଓ ଭାରତରେ ପ୍ରଥମ କରି ଗ୍ରାମୀଣ ଅଞ୍ଚଳରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଯେତେବେଳେ ଡିଜିଟାଲ କନେକ୍ଟିଭିଟି, ସୁଲଭ ମୂଲ୍ୟର ଡିଭାଇସ, ଡିଜିଟାଲ ଆପ୍ଲିକେସନ ଏବଂ ସଲ୍ୟୁସନ୍ସକୁ ଏକତ୍ର କରିଦିଆଗଲା ସେତେବେଳେ ଅସାଧାରଣ ସଫଳତା ମିଳିଥିଲା। ଭାରତର ଜନସାଧାରଣ ଜିଓ ପୂର୍ବରୁ ଯେତିକି ଡାଟା ବ୍ୟବହାର କରୁଥିଲେ, ସମ୍ପ୍ରତି ତାହାଠାରୁ ୩୦ଗୁଣ ଅଧିକ ଡାଟା ବ୍ୟବହାର କରୁଛନ୍ତି। ଡାଟା ବ୍ୟବହାର ୦.୨ ବିଲିଅନ ଜିବିରୁ ୧.୨ ବିଲିଅନ ଜିବିକୁ ବୃଦ୍ଧିପାଇଛି। ଦୁଇହଜାର ସହର ଏବଂ ନଗରରେ ୫କୋଟି ଘରକୁ ଜିଓଫାଇବର ଜରିଆରେ ସଂଯୁକ୍ତ କରିବା ପାଇଁ ଜିଓ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଜିଓ ଭାରତରେ ଖୁବଶୀଘ୍ର ୫ଜି ସେବା ପ୍ରଚଳନ କରିବ ବୋଲି ସେ ପ୍ରକାଶ କରିଥିଲେ।