ସ୍ପେଶାଲ ଡ୍ରାଇଭ ମାଧ୍ୟମରେ ହଜିଯାଇଥିବା ୫୮ଟି ମୋବାଇଲ ଉଦ୍ଧାର

ନବରଙ୍ଗପୁର,ଏନ୍‌ଏନ୍ଏସ୍‌: ନବରଙ୍ଗପୁର ପୁଲିସ ପକ୍ଷରୁ ୫୮ ଟି ହଜିଯାଇଥିବା ମୋବାଇଲ ଉଦ୍ଧାର କରି ମୋବାଇଲ ଗ୍ରାହକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ପ୍ରେସମିଟରେ ନବରଙ୍ଗପୁର ଏସପି ଏସ ସୁଶ୍ରୀ ସୂଚନା ଦେଇଛନ୍ତି । ଗତ କିଛି ଦିନ ଧରି ଜିଲ୍ଲାରେ ମୋବାଇଲ ଚୋରି ଓ ହଜିଯାଇଥିବା ନେଇ ବିଭିନ୍ନ ଥାନାରେ ମୋବାଇଲ ମାଲିକମାନେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତରଫରୁ ଏପ୍ରିଲ ଓ ମେ’ ମାସରେ ଏସପିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମୋବାଇଲ ଉଦ୍ଧାର ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଥିଲା । ସେଥିମଧ୍ୟରୁ ୫୮ଟି ସ୍ମାର୍ଟଫୋନ ଓ ଆଇଫନ ଭଳି ଦାମୀ ମୋବାଇଲ ଉଦ୍ଧାର କରିବାରେ ପୁଲିସ ସଫଳ ହୋଇଛି । ଉଦ୍ଧାର ହୋଇଥିବା ଉକ୍ତ ମୋବାଇଲ ଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ମୋବାଇଲ ଗୁଡ଼ିକ ନବରଙ୍ଗପୁର ତଥା ପୋଡ଼ଶି କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଥାନା ଓ ଜୟପୁର ଥାନା ଅଞ୍ଚଳ ସହ କଳାହାଣ୍ଡି ଓ ବୌଦ୍ଧ ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି । ଉଦ୍ଧାର ସମସ୍ତ ମୋବାଇଲକୁ ସେମାନଙ୍କ ଉପଯୁକ୍ତ ମାଲିକଙ୍କୁ ଫେରାଇ ଦିଆଯାଇଥିବା ଏସପି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରେସମିଟରେ ଡିଏସପି ଚନ୍ଦ୍ରଶେଖର ହୋତା ଉପସ୍ଥିତ ଥିଲେ ।