ଆବାସିକ କଲେଜର ୫୬ ଛାତ୍ରଛାତ୍ରୀ ପଜିଟିଭ, କଲେଜ ଅଧ୍ୟକ୍ଷ ଓ ମାଲିକଙ୍କ ନାମରେ ମାମଲା

ଢେଙ୍କାନାଳ,ଏନ୍‌ଏନ୍‌ଏସ୍: ଢେଙ୍କାନାଳ ପୌରାଞ୍ଚଳର ୱାର୍ଡ ନଂ.୩ କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ ମହାବିଦ୍ୟାଳୟ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏହି କଲେଜ ହଷ୍ଟେଲରୁ ଗତ ଦୁଇଦିନ ପୂର୍ବେ ୪ ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ଫଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଲେଜର ୨୬୦ ଜଣଙ୍କର ଆରଟି-ପିସିଆର ଟେଷ୍ଟ ପାଇଁ ସ୍ୱାବ୍ ନିଆଯାଇଥିଲା। ବୁଧବାର ଆସିଥିବା ରିପୋଟରୁ ୩୩ ଜଣ ପଜିଟିଭ ପରେ ଆଜି ପୁଣି ଆସିଥିବା ରିପୋର୍ଟରୁ ଆଉ୧୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ କେବଳ ଏହି କଲେଜରୁ କୋଭିଡ ପଜିଟିଭ ସଂଖ୍ୟା ୫୬ରେ ପହଞ୍ଚିଛି।

ଜିଲ୍ଲା ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁଁ କଲେଜର ପଜିଟିଭ ଚିହ୍ନଟ ପିଲାମାନଙ୍କ ସହ ଅନ୍ୟ ସମସ୍ତ ପିଲା ଆଜି ପ୍ରତ୍ୟୁଷରୁ ନିଜ ନିଜ ଘରକୁ ପଳାଇ ଯାଇଛନ୍ତି। କଲେଜରୁ ଛାତ୍ରଛାତ୍ରୀମାନେ ପଳାଇଗଲା ପରେ ପ୍ରଶାସନର ନିଦ ଭାଙ୍ଗିଛି। କୁଞ୍ଜକାନ୍ତ ଅଞ୍ଚଳକୁ ଆସନ୍ତା ୧୦ ଦିନ ପାଇଁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯିବା ସହ କଲେଜ ଓ ୩ଟି ହଷ୍ଟେଲକୁ ସିଲ କରାଯାଇଛି। ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହାପରେ ଆଜିଠାରୁ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡିକରେ ଆରଟି-ପିସିଆର ଟେଷ୍ଟପାଇଁ ସ୍ୱାବ ସଂଗ୍ରହ ଆରମ୍ଭ ହୋଇଛି।

ଆଜି କୁଞ୍ଜକାନ୍ତସ୍ଥିତ ଚନ୍ଦ୍ରଶେଖର ଆଇଟିଆଇରେ ୧୨୫ ଜଣ ପିଲାଙ୍କର ସ୍ୱାବ ସଂଗ୍ରହ କରାଯାଇ ଆରଟି-ପିସିଆର ଟେଷ୍ଟ ପାଇଁ ପଠାଯାଇଥିବା ଜଣାପଡିଛି। କଲେଜ କର୍ତ୍ତୃପକ୍ଷଙ୍କ କୋଭିଡ ନିୟମ ଉଲ୍ଲଂଘନକୁ ନେଇ ପ୍ରଶାସନ ପକ୍ଷରୁ ଟାଉନ୍ ଥାନାରେ କଲେଜ ଅଧ୍ୟକ୍ଷ ଓ ମାଲିକ ଅନ୍ନଦା ମହାନ୍ତିଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିବାର ଜଣାପଡିଛି।