ନୂଆଦିଲ୍ଲୀ: ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପାକିସ୍ତାନ ଜେଲରେ ବନ୍ଦ ଥିବା ସୈନିକଙ୍କୁ ଦେଶକୁ ଫେରାଇ ଆଣିବା ଦାବୀକୁ ନେଇ ଦାୟର ହୋଇଥିବା ପିଟିସନକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ମେଜର ଜେନେରାଲ କଂବଲଜୀତ ସିଂହଙ୍କ ପତ୍ନୀ ଜସବୀର କୌର ଏହି ପିଟିସନ ଦାୟର କରିଛନ୍ତି । ମେଜର କଂବଲଜୀତ ସିଂହ ୫୦ ବର୍ଷ ହେବ ଯୁଦ୍ଧବନ୍ଦୀ ହୋଇ ପାକିସ୍ତାନ ଜେଲରେ ଅଛନ୍ତି ।
ଜସବୀର କୌର ପିଟିସନରେ କହିଛନ୍ତି ଯେ, ଗତ ୫୦ ବର୍ଷ ମଧ୍ୟରେ ଅତି କମରେ ୫୪ ଭାରତୀୟ ସୈନିକ ଅବୈଧ ରୂପେ ପାକିସ୍ତାନ ଜେଲରେ ଅଛନ୍ତି । ସେଠାରେ ସେମାନଙ୍କୁ ପ୍ରତାଡ଼ିତ କରାଯାଉଥିବାର ଅନେକ ପ୍ରମାଣ ସାମ୍ନାକୁ ଆସିଛି । ସେଥିପାଇଁ ଯେଉଁ ସୈନିକଙ୍କୁ ଭାରତ ଅଣାଯାଇଥାନ୍ତା ସେମାନଙ୍କ ସୂଚୀ ଦେବା ପାଇଁ ଆନ୍ତର୍ଜାତୀୟ ରେଡକ୍ରସକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦିଅନ୍ତୁ । ଭାରତୀୟ ସୈନିକଙ୍କୁ ଆଣିବା ପାଇଁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ ମୁହାଁ ହେବା ଉଚିତ ।