ବଲାଙ୍ଗିରରେ ୫,୨୮୦ ବୋତଲ କଫସିରପ୍ ଜବତ, ୩ ଗିରଫ

ବଲାଙ୍ଗିର, ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ସଦର ପୁଲିସ ୫,୨୮୦ ବୋତଲ କଫସିରପ୍ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମଘାମରାର କ୍ଷମା ଓରଫ କ୍ଷମାନିଧି ମେହେର(୩୧) ଏବଂ ପାଟଣାଗଡ଼ ବାବାଜୀପଡ଼ାର ସୁରେଶ ଦାଶ(୩୪) ଓ ଲୁହାସିଂହାର ଗୋଲୁ ଓରଫ୍ ଲକ୍ଷ୍ମୀନାରାୟଣ ଅଗ୍ରୱାଲ(୪୨) । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ସୂଚନାନୁସାରେ, କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଦର ପୁଲିସର ଏକ ଟିମ୍ ସ୍ଥାନୀୟ ପଥରଚେପା ପାଖରେ ଗତକାଲି ସଂଧ୍ୟାରେ ଏକ ଅଶୋକ ଲେଲ୍ୟାଣ୍ଡ ପିକଅପ୍ ଗାଡ଼ିକୁ ଅଟକାଇ ସେଥିରେ ଅଖା ଢଙ୍କା ଯାଇଥିବା ୫,୨୮୦ ବୋତଲ କଫସିରପ୍ ଜବତ କରିବା ସହ ଗାଡ଼ିରେ ଥିବା କ୍ଷମାନିଧି ମେହେର ଓ ସୁରେଶ ଦାଶଙ୍କୁ ଗିରଫ କରିଥିଲା । ପରେ ଏହି ପିକଅପ୍ ଗାଡ଼ିକୁ ଏସକର୍ଟ ଦେଇ ଆଗରେ ଯାଉଥିବା ଲରମ୍ଭା ଥାନା ଅଧୀନସ୍ଥ ଲୁହାସିଂହାର ଗୋଲୁ ଓରଫ ଲକ୍ଷ୍ମୀନାରାୟଣ ଅଗ୍ରୱାଲ(୪୨)ଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା । ୫,୨୮୦ ବୋତଲ କଫସିରପ୍ ସହ ପିକଅପ୍ ଭ୍ୟାନ୍‌,୩ ମୋବାଇଲ୍ ଫୋନ୍‌, ଗନି ବ୍ୟାଗ୍ ଓ ନଗଦ ୩,୬୫୦ ଟଙ୍କା ଅଭିଯୁକ୍ତଙ୍କଠାରୁ ପୁଲିସ ଜବତ କରିଥିବା କୁହାଯାଇଛି । ସଂପୃକ୍ତ କଫସିରପ୍ ବୋଝେଇ ପିକଅପ୍ ଗାଡ଼ି ଉପରେ ଚଢ଼ଉ ସମୟରେ ସଦର ଆଇଆଇସି ଶ୍ରୀ ସାହୁଙ୍କ ସମେତ ଏସଆଇ ଝସକେତନ ଭୋଇ, ଏସଆଇ ବାସୁଦେବ ଭୋଇ, ଏସଆଇ ଅବିନାଶ ନାୟକ, ଏସଆଇ ଆକାଶ ସାମଲ, ଏଏସ୍‌ଆଇ ହେମନ୍ତ ମିଶ୍ରଙ୍କ ସହ ଅନ୍ୟ ପୁଲିସ କର୍ମଚାରୀମାନେ ସାମିଲ ରହିଥିବା ଏସଡିପିଓ ଶ୍ରୀ ବାଗ ସୂଚନା ଦେଇଛନ୍ତି । ତେବେ ଜବତ କଫସିରପର ବଜାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।