ପୁଲୱାମା ଭଳି ଆଉ ଏକ ଆକ୍ରମଣ ଯୋଜନାକୁ ପଣ୍ଡ କଲା ସେନା; ୫୨ କିଲୋ ବିସ୍ଫୋରକ ଜବତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ସେନା କଶ୍ମୀରର ଗାଦିକଲାସ୍ଥିତ କାରେବ ଅଞ୍ଚଳରେ ଗୁରୁବାର ୫୨ କିଲୋ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛି। ଫଳରେ ସେନା ପକ୍ଷରୁ ପୁଲୱାମା ଭଳି ଏକ ବଡ଼ ଧରଣର ଦୁର୍ଘଟଣାକୁ ଅଟକାଇ ଦିଆଯାଇଛି। ଆତଙ୍କବାଦୀମାନେ ଏହି ବିସ୍ଫୋରକ ସାମଗ୍ରୀକୁ ପାଣି ଟାଙ୍କି ଭିତରେ ଲୁଚାଇ ରଖିଥିଲେ।

ସେନାର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ବିସ୍ଫୋରକ ସାମଗ୍ରୀ ଏକ ଜାତୀୟ ରାଜପଥ କଡ଼ରୁ ଉଦ୍ଧାର କରାଯାଇଛି। ଏହି ବିସ୍ଫୋରକ ସାମଗ୍ରୀ ଯେଉଁ ସ୍ଥାନରୁ ଉଦ୍ଧାର କରାଯାଇଛି, ସେହି ପାଖରେ ଗତ ବର୍ଷ ଫେବୃଆରୀ ୧୪ରେ ପୁଲୱାମା ଆକ୍ରମଣ ହୋଇଥିଲା। ତେଣୁ ପୁଣି ଏକ ବଡ଼ ବିପଦକୁ ସେନା ଟାଳିଥିବା କୁହାଯାଉଛି। ଅଧିକାରୀଙ୍କ କହିବା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ତଲାସି ଅଭିଯାନ ଆରମ୍ଭ ହୋଇଥିଲା।