ଓରକେଲ ପୁଲିସ ଦ୍ୱାରା ୫୧ କିଲୋ ଗଞ୍ଜେଇ ଜବତ, ୬ ଗିରଫ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓରକେଲ ପୁଲିସ ୫୧ କିଲୋ ଗଞ୍ଜେଇ ଜବତ କରିବା ସହ ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୪ଜଣ ଛତିଶଗଡ଼ର ରଞ୍ଜିତ ମଣ୍ଡଳ, ସୁବ୍ରତ ମଣ୍ଡଳ, ଅନାଦି ମଣ୍ଡଳ, ସୁଜିତ ମଣ୍ଡଳ ହୋଇଥିବାବେଳେ ଅନ୍ୟ ୨ଜଣ ଓରକେଲ ଥାନା ଅନ୍ତର୍ଗତ ଏମଭି-୧୦୮ ଗ୍ରାମର ବିଶ୍ୱଜିତ ମଣ୍ଡଳ ଓ ସାରଦାଗୁଡ଼ା ଗ୍ରାମର ମନୋଜ ନାୟକ। ମିଳିଥିବା ରିପୋର୍ଟ ମୁତାବକ, ଗତ ଅଗଷ୍ଟ ୧ ତାରିଖ ରାତି ସମୟରେ ଗୁମ୍ମା ଫାଣ୍ଡି ଅଧିକାରୀ ଗିରିଷ ମହାରଣାଙ୍କ ନେତୃତ୍ୱରେ ଏକ ଟିମ୍ ମାଲକାନଗିରି-ଜୟପୁର ମୁଖ୍ୟ ରାସ୍ତାର ଏମଭି-୩୭ ଛକ ନିକଟରେ ଜଗି ରହିଥିଲେ। ଏହି ସମୟରେ ଏକ ମାରୁତି ସୁଜୁକି କାର( ସିଜି ୦୪ କେକ୍ୟୁ୧୮୫୬) ଦ୍ରୁତ ଗତିରେ ଆସୁଥିବା ଦେଖି ଗାଡ଼ିଟିକୁ ଅଟକାଇଥିଲେ। ତେବେ ଗାଡ଼ିକୁ ଯାଞ୍ଚ କରିବା ସମୟରେ ସେଥିରୁ ଜରି ବସ୍ତାରେ ଗଞ୍ଜେଇ ଦେଖିବାକୁ ପାଇଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ବର୍ଷା ଜାରି ରହିଥିବାରୁ ପୁଲିସର ପେଟ୍ରୋଲିଂ ଠିକ ଭାବେ ହେଉନାହିଁ। ତେଣୁ ଏହାର ସୁଯୋଗ ନେଇ ଗଞ୍ଜେଇ ଚାଲାଣକାରୀମାନେ ରାତାରାତି ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ କରିବାରେ ସକ୍ଷମ ହେଉଥିବା ଜଣାପଡ଼ିଛି। ତେବେ ଜିଲ୍ଲା ପୁଲିସ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କଡ଼ା ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।