୧୨ ରାଜ୍ୟରେ ୫୧ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ : ୮ ରାଜ୍ୟ ପାଇଁ କେନ୍ଦ୍ରର ଖାସ୍ ଗାଇଡଲାଇନ

ନୂଆଦିଲ୍ଲୀ : ଦେଶର ୧୨ଟି ରାଜ୍ୟରେ ୫୧ଟି ଡେଲଟା ପ୍ଲସ ଭେରିଆଣ୍ଟ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ସର୍ବାଧିକ ୨୨ଟି ମାମଲା ମହାରାଷ୍ଟ୍ରରେ ରହିଛି। ସେହିପରି ତାମିଲନାଡ଼ୁରୁ ୯, ମଧ୍ୟପ୍ରଦେଶରୁ ୭, ପଞ୍ଜାବ ଓ ଗୁଜରାଟରୁ ୨ ଲେଖାଏଁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ଜମ୍ମୁ-କଶ୍ମୀର, ହରିୟାଣା ଓ କର୍ଣ୍ଣାଟକରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ତାମିଲନାଡ଼ୁ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଜମ୍ମୁ-କଶ୍ମୀର, ଗୁଜରାଟ ଓ ହରିୟାଣାକୁ ଚିଠି ଲେଖି କିଛି ଖାସ୍ ଉପାୟ ଉପରେ ଅଧିକ ଧ୍ୟାନ ଦେବାକୁ କହିଛନ୍ତି। ଏଥିରେ ଉକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସେହି ଜିଲ୍ଲାରେ ପ୍ରାଥମିକତା ଆଧାରରେ ଟିକାକରଣ ବଢ଼ାଇବା ସହ ଭିଡ଼ ରୋକିବା ଓ ବ୍ୟାପକ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ କରୋନା ସଂକ୍ରମିତ ଲୋକଙ୍କ ପର୍ଯ୍ୟାପ୍ତ ନମୁନା ଯଥାଶୀଘ୍ର ଭାରତୀୟ ସାର୍ସ-ସିଓବୀ-୨ ଜୀନୋମିକ କଂସୋର୍ଶିୟାର ନିର୍ଦ୍ଦିଷ୍ଟ ଲ୍ୟାବକୁ ପଠାଇବାକୁ କୁହାଯାଇଛି।