ରାଉରକେଲା,ଏନ୍ଏନ୍ଏସ୍: ଫର୍ଟିଲାଇଜର ଟାଉନସିପ୍ ଅଞ୍ଚଳ ତଥା ସୁନ୍ଦରଗଡ ବାସିନ୍ଦାମାନଙ୍କ ଉଦ୍ଦେଶ୍ୟରେ ନିର୍ମିତ ଅକ୍ସିଜେନ ଓ ଭେଣ୍ଟିଲେଟର ଯୁକ୍ତ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଆଜି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭର୍ଚୁଆଲ ମୋଡରେ ଲୋକାର୍ପଣ କରିଛନ୍ତି। ଅକ୍ସିଜେନ ପ୍ଲାଣ୍ଟ ପାଖରେ କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ଯେଉଁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ତାହା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ସାଂସଦ ଜୁଏଲ ଓରାମ, ଆରଏସପି ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଆରଏସପି ମଧ୍ୟରେ ଥିବା ଅକ୍ସିଜେନ ପ୍ଲାଣ୍ଟ ନିକଟରେ କୋଭିଡ୍ ହସ୍ପିଟାଲ ନିର୍ମାଣ କରିଥିବାରୁ ରାଉରକେଲାବାସୀଙ୍କ ତରଫରୁ ଧନ୍ୟବାଦ ଦିଆଯାଇଛି।
ଆରଏସପି ଏହି ଲୋକାର୍ପଣ ଉତ୍ସବ ଆୟୋଜନ କରିଥିଲା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭା ସାଂସଦ ଜୁଏଲ ଓରାମ, ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସମସ୍ତ ବିଧାୟକ, ଜିଲ୍ଲାପାଳ, ସେଲ୍ ଅଧ୍ୟକ୍ଷା, ଆରଏସପି ସିଇଓ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଭାଜପା ପକ୍ଷରୁ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି। ଏଥିସହିତ ଆରଏସପି ଏହି ହସ୍ପିଟାଲକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରି ରୋଗୀମାନଙ୍କ ସେବାରେ ଉତ୍ସର୍ଗ କରିଥିବାରୁ ସୁନ୍ଦରଗଡ ଜିଲ୍ଲା ଭାଜପା ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।
